ମୁମ୍ବାଇ: ଅଜିତ ପାୱାରଙ୍କ ମୃତ୍ୟୁ ଘଟିଥିବା ବିମାନ ଦୁର୍ଘଟଣାକୁ ନେଇ ଉଠୁଥିବା ପ୍ରଶ୍ନମାନଙ୍କ ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ସିବିଆଇ ତଦନ୍ତ ପାଇଁ ଅନୁରୋଧ କରିଥିବା ଘୋଷଣା କରିଛନ୍ତି। ବଜେଟ ଅଧିବେଶନର ପୂର୍ବ ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ସରକାର ସମସ୍ତ ସନ୍ଦେହ ଦୂର କରିବାକୁ ପ୍ରତିବଦ୍ଧ।
ଫଡନାଭିସ୍ କହିଛନ୍ତି ଯେ, ଏନ୍ସିପି ପକ୍ଷରୁ ସିବିଆଇ ତଦନ୍ତ ଦାବି କରି ଚିଠି ମିଳିଥିବା ପରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ସହ ଆଲୋଚନା କରିଥିଲେ। ସେହି ଆଲୋଚନା ପରେ ମାମଲାରେ ସିବିଆଇ ତଦନ୍ତ କରିବ ବୋଲି ସୂଚନା ମିଳିଛି। ବର୍ତ୍ତମାନ ଡିଜିସିଏ ଓ ରାଜ୍ୟ ସିଆଇଡି ଦ୍ୱାରା ତଦନ୍ତ ଚାଲିଛି।
ଗତ ଜାନୁଆରି ୨୮ ତାରିଖରେ ପୁଣେ ଜିଲ୍ଲାର ବାରାମତି ନିକଟରେ ଅବତରଣ ସମୟରେ ଏକ ଚାର୍ଟର୍ଡ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଅଜିତ ପାୱାର ସହ ଚାରିଜଣଙ୍କ ମୃତ୍ୟୁ ଘଟିଥିଲା। ଘଟଣା ପରେ ବିଭିନ୍ନ ପ୍ରଶ୍ନ ଉଠିଥିବାବେଳେ ଏନ୍ସିପି (ଏସ୍ପି) ନେତା ରୋହିତ ପାୱାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ଭିଏସ୍ଆର୍ କମ୍ପାନୀର ଅଡିଟ୍ କରୁଛି ଓ ସମସ୍ତ ଲଗ୍ ବୁକ୍ ଯାଞ୍ଚ ହେଉଛି। ତଦନ୍ତ ରିପୋର୍ଟ ଆସିବା ପୂର୍ବରୁ ଅନୁମାନ କରିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି।
ବିରୋଧୀ ଦଳ ବଜେଟ ଅଧିବେଶନ ପୂର୍ବରୁ ସରକାରକୁ ଟାର୍ଗେଟ କରିଥିବାବେଳେ, ମହା ବିକାଶ ଅଘାଡ଼ି ବୈଠକ ଓ ସରକାରଙ୍କ ‘ଚା ପାର୍ଟି’ ବୟକଟ୍ ହୋଇଛି। ଅଧିବେଶନ ସମୟରେ ବିମାନ ଦୁର୍ଘଟଣା ପ୍ରସଙ୍ଗ ଜୋରଦାର ଭାବେ ଉଠିବ ବୋଲି ଆଶା କରାଯାଉଛି। ସରକାର ପକ୍ଷରୁ ପୁଣିଥରେ ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତର ଆଶ୍ୱାସନ ଦିଆଯାଇଛି।





