ଜମ୍ମୁ କାଶ୍ମୀରର ପୁଲଓ୍ବାମାରେ ଆତଙ୍କୀ-ସୁରକ୍ଷାକର୍ମୀ ଗୁଳି ବିନିମୟ; ଜଣେ ଆତଙ୍କୀ ନିପାତ, ସର୍ଚ୍ଚ ଅପରେସନ ଜାରି

ଭୁବନେଶ୍ଵର,୨୮/୨(ସତ୍ୟପାଠ ବ୍ୟୁରୋ): ଜମ୍ମୁ କାଶ୍ମୀରର ପୁଲଓ୍ବାମା ଜିଲ୍ଲାରେ ଆଜି ସକାଳୁ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସେନା ଗୁଳିରେ ଜଣେ ଆତଙ୍କୀ ନିପାତ ହୋଇଥିବା ସୂଚନା ମିଳିଛି। ଅବନ୍ତିପୋରାର ପାଡଗାମପୋରା ଅଞ୍ଚଳରେ ଆଜି ଭୋର ସମୟରେ ଏନକାଉଣ୍ଟର ଆରମ୍ଭ ହୋଇଛି ।ଏଥିରେ ସେନା ଗୁଳିରେ ଜଣେ ଆତଙ୍କୀ ନିହତ ହୋଇଥିବା କାଶ୍ମୀର ଜୋନ୍‌ ପୋଲିସ ଟ୍ବିଟ୍‌ କରି ସୂଚନା ପ୍ରଦାନ କରିଛି । ଉକ୍ତ ଅଞ୍ଚଳରେ ଏବେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ହସ୍ତଗତ ହୋଇଛି ।

କାଶ୍ମୀର ଜୋନ୍‌ ପୋଲିସର ସୂଚନା ମୁତାବକ, ପୁଲଓ୍ବାମା ଜିଲ୍ଲାର ଅବନ୍ତିପୋରାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଛି । ସୁରକ୍ଷାକର୍ମୀ ଓ ପୋଲିସ ଏଥିରେ ନିୟୋଜିତ ଅଛନ୍ତି । ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ବର୍ତ୍ତମାନ ମଧ୍ୟ ଏନକାଉଣ୍ଟର ଜାରି ରହିଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଗତ ରବିବାର ଦିନ ଜମ୍ମୁ-କାଶ୍ମୀରର ପୁଲଓ୍ବାମା ଜିଲ୍ଲାରେ ଜଣେ କାଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ । ଏହି ଘଟଣାର ଗୋଟିଏ ଦିନ ପରେ ସେନା ଗୁଳିରେ ଜଣେ ଆତଙ୍କୀର ମୃତ୍ୟୁ ହୋଇଛି । ଅଚନ ଗ୍ରାମର କାଶିନାଥ ପଣ୍ଡିତଙ୍କ ପୁଅ ସଞ୍ଜୟ ପଣ୍ଡିତଙ୍କୁ ଆତଙ୍କୀ ଗୁଳି କରି କରିଥିଲେ । ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଜଣାଇଥିଲେ । ମୃତକ ସଞ୍ଜୟ ଏକ ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟରତ ଥିଲେ । ରବିବାର ଆତଙ୍କୀ ଆକ୍ରମଣ ନେଇ ଖବର ପାଇବା ପରେ ସୁରକ୍ଷାକର୍ମୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଚଳିତ ବର୍ଷ ଜମ୍ମୁ କାଶ୍ମୀରରେ ପଣ୍ଡିତଙ୍କୁ ଆତଙ୍କୀ ହତ୍ୟା କରିବାର ଏହା ପ୍ରଥମ ଘଟଣା ।

ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ମାସରେ ଜମ୍ମୁ କାଶ୍ମୀରର ବଡଗାମରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏଥିରେ ସେନା ଗୁଳିରେ ଦୁଇ ଆତଙ୍କୀ ନିପାତ ହୋଇଥିଲେ । ମାଗାମ ଅଞ୍ଚଳର ରେଡବୁଗରେ ଏନକାଉଣ୍ଟର ହୋଇଥିବା କାଶ୍ମୀର ଜୋନ୍‌ ପୋଲିସ ସୂଚନା ଦେଇଥିଲା । ତେବେ କ୍ରମାଗତ ଭାବେ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଚାଲିଛି । ଗୋଟିଏ ପରେ ଗୋଟିଏ ଆତଙ୍କୀଙ୍କୁ ନିପାତ କରୁଛନ୍ତି ସୁରକ୍ଷାବାହିନୀ । ଗତବର୍ଷ ଘାଟିରେ ସୁରକ୍ଷାବଳ ଗୁଳିରେ ମୋଟ ୧୭୨ ଜଣ ଆତଙ୍କୀ ନିପାତ ହୋଇଥିଲେ ।

Related Posts