ଭୁବନେଶ୍ୱର, ୨୫/୦୬ (ସତ୍ୟପାଠ ବ୍ୟୁରୋ): ରାଜଧାନୀ ଦିଲ୍ଲୀ ପାଇଁ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶକୁ ନେଇ ଆପ୍ ଓ କଂଗ୍ରେସ ମଧ୍ୟରେ ଥିବା ମତଭେଦକୁ ନେଇ ଏକ ବଡ଼ ଖବର ଆସିଛି। ସବୁ ମତପାର୍ଥକ୍ୟ ଓ ପୁରୁଣା କଥାକୁ ଭୁଲି ଏକାଠି ହୋଇ ଆଗକୁ ବଢ଼ିବା ପାଇଁ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ କହିଛନ୍ତି।
ଶୁକ୍ରବାର ପାଟନାରେ ଅନୁଷ୍ଠିତ ବିରୋଧୀଙ୍କ ମହା ବୈଠକରେ କେଜ୍ରିୱାଲ ଏହି ଅଧ୍ୟାଦେଶ ପ୍ରସଙ୍ଗ ଉଠାଇବା ସହ ରାହୁଲଙ୍କ ସହାୟତା ଲୋଡ଼ିଥିବା ସୂଚନା ମିଳିଛି। କୁହାଯାଉଛି ଯେ ଏହି ବୈଠକରେ କେଜ୍ରିୱାଲ ସିଧାସଳଖ ରାହୁଲ ଗାନ୍ଧିଙ୍କ ସହ ଅଧ୍ୟାଦେଶ ପ୍ରସଙ୍ଗରେ କଥା ହୋଇଥିଲେ। ଯଦି ଦୁଇ ଦଳ ମଧ୍ୟରେ କୌଣସି ତିକ୍ତତା ବା ବିବାଦ ରହିଛି, ତା’ହେଲେ ଏହାକୁ ଚା’ ପିଇ ସମାଧାନ କରିବା ଦରକାର। ଏହାସହିତ ସବୁ ମତ ପାର୍ଥକ୍ୟକୁ ଭୁଲି ଏକାଠି ଆଗକୁ ବଢ଼ିବା ଉଚିତ ବୋଲି କେଜ୍ରିୱାଲ ବିରୋଧୀଙ୍କ ବୈଠକରେ ରାହୁଲ ଗାନ୍ଧିଙ୍କୁ କହିଥିଲେ |
ତେବେ ରାହୁଲଙ୍କ ପକ୍ଷରୁ ଏସମ୍ପର୍କରେ କେଜ୍ରିୱାଲ କୌଣସି ପ୍ରକାରର ନିଶ୍ଚିତ ପ୍ରତିଶ୍ରୁତି ପାଇ ନାହାନ୍ତି। ତେଣୁ ଆପ୍ ବୈଠକ ପରେ କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରିଥିଲା। କଂଗ୍ରେସ ଥିବା ମେଣ୍ଟରେ ସାମିଲ ହେବା କଷ୍ଟକର ବୋଲି ଦଳ କହିଥିଲା। ଏଥିସହ ଆସନ୍ତାମାସରେ ଶିମଲାରେ ହେବାକୁ ଥିବା ବୈଠକରେ ଆପ୍ ସାମିଲ ହେବ ନାହିଁ ବୋଲି ମଧ୍ୟ ଆପ୍ ସଙ୍କେତ ଦେଇଛି।
ସୂଚନାଯୋଗ୍ୟ ଯେ, ଦିଲ୍ଲୀ ପ୍ରଶାସନିକ ସେବା ଉପରେ ନିୟନ୍ତ୍ରଣ ଦିଲ୍ଲୀ ସରକାରଙ୍କର ବୋଲି ସୁପ୍ରିମକୋର୍ଟ ରାୟ ଦେବାପରେ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଜାରି କରି ପୁଣି ସବୁ କ୍ଷମତା ନିଜ ହାତକୁ ନେଇ ଯାଇଛନ୍ତି । ଏହାକୁ କ୍ଷମତାସୀନ ଆପ୍ ସରକାର ବିରୋଧ କରୁଛି। ସଂସଦରେ ଏହାକୁ ଆଇନରେ ପରିଣତ କରିବା ପାଇଁ କେନ୍ଦ୍ର ସରକାର ବିଲ୍ ଆଣିବେ। କିନ୍ତୁ ସେଠାରେ ଏହାକୁ ମାତ୍ ଦେବା ପାଇଁ ଆପ୍ ସବୁ ବିରୋଧୀଙ୍କ ସମର୍ଥନ ଲୋଡ଼ିଛି।
ତେବେ ଏହି ପ୍ରସଙ୍ଗରେ କଂଗ୍ରେସକୁ ବାଦ ଦେଇ ଅଧିକାଂଶ ବିରୋଧୀ ଦଳ ଆପ୍କୁ ସମର୍ଥନ କରିଛନ୍ତି। ହେଲେ କଂଗ୍ରେସର ବିନା ସହଯୋଗରେ ବିଲ୍କୁ ରୋକିବା ସମ୍ଭବ ନୁହେଁ ବୋଲି ଆପ୍ ଭଲ ଭାବେ ଜାଣିଛି। ତେଣୁ ଏବେ ଦଳ କଂଗ୍ରେସ ଉପରେ ଚାପ ପକାଇବା ଆରମ୍ଭ କରିଛି।





