ପୁରୁଷ ହକି ବିଶ୍ବକପ୍ ଆୟୋଜନ ନେଇ ସର୍ବଦଳୀୟ ବୈଠକ: ରାଜ୍ୟ ସରକାରଙ୍କ ଉଦ୍ୟମକୁ ସବୁ ଦଳର ପ୍ରଶଂସା

ଭୁବନେଶ୍ୱର,୨୨/୧୨(ସତ୍ୟପାଠ ବ୍ୟୁରୋ): ଓଡ଼ିଶାରେ ପୁରୁଷ ବିଶ୍ବକପ୍‌ ହକି-୨୦୨୩ ଆୟୋଜନ ନେଇ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ସର୍ବ‌ଦଳୀୟ ବୈଠକ ବସିଥିଲା। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଯେ, ବିଶ୍ୱକପ୍ ଉଦ୍‌ଘାଟନୀ ଉତ୍ସବରୁ ଉଦ୍‌ଯାପନୀ ଉତ୍ସବ ପର୍ଯ୍ୟନ୍ତ ଭୁବନେଶ୍ବର ଓ ରାଉରକେଲାରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଅତିଥି ଭାବେ ସାମିଲ୍ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି।

ତେବେ ଆସନ୍ତା ମାସରେ ପୁରୁଷ ହକି ବିଶ୍ବକପର ଆୟୋଜନ ଏବଂ ସୁପରିଚାଳନା ନିମନ୍ତେ ଗୁରୁବାର ଦିନ ବସିଥିବା ସର୍ବ‌ଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଏହି କ୍ରୀଡ଼ା ମହୋତ୍ସବର ସଫଳତା ପାଇଁ ସବୁ ରାଜନୈତିକ ଦଳର ସହଯୋଗ କାମନା କରିଛନ୍ତି। ବିଶ୍ବକପ୍‌ ହକି ପ୍ରସ୍ତୁତିରେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ଭାରତ ସରକାରଙ୍କୁ ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ। ବିଶ୍ବକପ୍‌ ହକିର ଆୟୋଜନରେ କେବଳ ଓଡ଼ିଶା ନୁହେଁ ସାରା ଦେଶର ସମ୍ମାନ ଜଡ଼ିତ। ସେଥିପାଇଁ ସମସ୍ତେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ।

ତେବେ ଏହି ସର୍ବଦଳୀୟ ବୈଠକରେ ରାଜ୍ୟ ସରକାର ଲଗାତର ଭାବେ ଦ୍ବିତୀୟଥର ହକି ବିଶ୍ବକପ୍‌ ଆୟୋଜନ କରି ସାରା ବିଶ୍ବରେ ଓଡ଼ିଶାର ପ୍ରତିଷ୍ଠା ବୃଦ୍ଧି କରିଛନ୍ତି ବୋଲି ବିଭିନ୍ନ ରାଜନୈତିକ ଦଳ ନେତୃବୃନ୍ଦ କହିବା ସହ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ।

ଏହି ବୈଠକରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ କହିଥିଲେ, ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ଉତ୍ସବ ୨୦୩୬ ଅବସରରେ ଯେପରି ସେତେବେଳକୁ ଓଡ଼ିଶାରୁ ୧୦୦ ଅଲମ୍ପିଆନ ବାହାରିପାରିବେ, ସେଥିପାଇଁ ସମସ୍ତେ ମିଳିମିଶି କାମ କରିବା ଉଚିତ। ଏହାସହ ସେ କହିଥିଲେ ଯେ, ନୂତନ ଶିକ୍ଷା ନୀତିରେ ଏବେ ବହି ସବୁ ଲେଖା ଚାଲିଛି। ଏଥିରେ ହକିକୁ ଅଧିକ ପ୍ରାଧାନ୍ୟ ଦିଆଯିବ। କ୍ରମାଗତଭାବେ ଦୁଇ ଥର ବିଶ୍ବକପ୍‌ ହକି ଆୟୋଜନ ଭଳି ବିରଳ ଘଟଣାକୁ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ଦେବା, ଉଭୟ ଭୁବନେଶ୍ବର-ରାଉରକେଲାର ସ୍ବଚ୍ଛତା ପାଇଁ ନାଗରିକମାନଙ୍କୁ ସାମିଲ କରିବା, ସ୍ଥାନୀୟ ଓଡ଼ିଆ ଖେଳର ପ୍ରସାର କରିବା, ରାଉରକେଲା-ଭୁବନେଶ୍ବର ରେଳପଥକୁ ହକି ପାଇଁ ବ୍ରାଣ୍ଡିଂ କରିବା, ହକି ବିଶ୍ବକପ୍‌ରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟକୁ ଅଧିକ ଗୁରୁତ୍ବ ଦେବା, ୧୬ଟି ଦେଶରୁ ଯେଉଁ ସବୁ ଖେଳାଳି ଆସିବେ ସେମାନଙ୍କୁ ତାଙ୍କ ଭାଷାରେ ଓଡ଼ିଶାର ଇତିହାସ ତଥା ସଂସ୍କୃତିକୁ ନେଇ ପୁସ୍ତକ ଯୋଗାଇ ଦେବାକୁ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଥିଲେ। ଏହାସହ କହିଥିଲେ ଯେ, ଆଗକୁ ଜି-୨୦ ଭାରତରେ ଆୟୋଜିତ ହେବାକୁ ଯାଉଛି। ଏହା ଓଡ଼ିଶାରେ ମଧ୍ୟ ହେବାକୁ ଥିବାରୁ ଓଡ଼ିଶାର ଯୋଗଦାନ କିପରି ଭଲ ହୋଇପାରିବ ତାହାକୁ ନେଇ କାର୍ଯ୍ୟ କରିବା ଦରକାର।

ସେପଟେ ଏହି ସର୍ବଦଳୀୟ ବୈଠକରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ରାଜ୍ୟର ସବୁ ଜିଲ୍ଲାରେ ହକି ଷ୍ଟାଡିୟମ ନିର୍ମାଣ କରାଯାଉ ବୋଲି ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସର ବରିଷ୍ଠ ବିଧାୟକ ସନ୍ତୋଷ ସିଂହ ସାଲୁଜା, ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ସିପିଆଇର ସାଧାରଣ ସମ୍ପାଦକ ରାମକୃଷ୍ଣ ପଣ୍ଡା, ବିଧାୟକ ତାରା ପ୍ରସାଦ ବାହିନୀପତି, ବିଧାୟକ ଲକ୍ଷ୍ମଣ ମୁଣ୍ଡା, ସିପିଆଇର ଅଳିକିଶୋର ପଟ୍ଟନାୟକ, ଅଭୟ ସାହୁ, ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା, ଆପ୍‌ର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର, ଆର୍‌ଜେଡିର ସଭାପତି ହେମନ୍ତ କୁମାର ପ୍ରମୁଖ ଭାଗ ନେଇ ସୁଚିନ୍ତିତ ମତାମତ ଦେଇଥିଲେ।

କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ବୈଠକରେ କ୍ରୀଡ଼ା ସଚିବ ଆର୍‌. ଭିନିଲକ୍ରିଷ୍ଣା ଜାନୁଆରି ୧୩ରୁ ୨୯ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବାକୁ ଥିବା ୧୭ଦିନିଆ କ୍ରୀଡ଼ା ମହୋତ୍ସବର ପ୍ରସ୍ତୁତି ଓ ବିଭିନ୍ନ କାର୍ଯ୍ୟକ୍ରମ ନେଇ ସୂଚନା ଦେଇଥିଲେ। ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Related Posts