ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କେନ୍ଦୁଝରରେ ସମସ୍ତ ସ୍କୁଲ ଛୁଟି ଘୋଷଣା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଛୁଟି ଘୋଷଣା କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । କେନ୍ଦୁଝରରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଗୁଡ଼ିକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗତକାଲି ରାତିରୁ କେନ୍ଦୁଝରରେ ପ୍ରବଳ ବର୍ଷା ଜାରି ରହିଛି ।ଏହା ସହ ଆଜି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।
ଲଗାଣ ବର୍ଷାକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ବହୁ ଅଞ୍ଚଳ ଜଳମଗ୍ନ ହୋଇ ରହିଛି । ତେଣୁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ସେପଟେ ବଲାଙ୍ଗୀରରେ ମଧ୍ୟ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଘୋଷଣା କରାଯାଇଛି । ଗତକାଲିଠାରୁ ବଲାଙ୍ଗୀରରେ ବର୍ଷା ଜାରି ରହିଛି । ବଲାଙ୍ଗୀରକୁ ମଧ୍ୟ ପ୍ରବଳ ବର୍ଷା ନେଇ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି ।
ପ୍ରବଳ ବର୍ଷା ଯୋଗୁଁ ବଲାଙ୍ଗୀର ଗୁଡ଼ଭେଲା ବ୍ଲକର ଦୁଇଟି ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ରାହୁଳ ନଦୀରେ ଅତ୍ୟଧିକ ପାଣି ଆସିବା ଯୋଗୁଁ ଲୋକେ ଭୟଭୀତ ଅଛନ୍ତି । ରାସ୍ତାଘାଟ ସବୁଆଡ଼େ ପାଣି ଭରି ରହିଛି ।





