ଏଣିକି ଗାଡ଼ି ନମ୍ବର ପ୍ଲେଟ ଲୁଚାଇଲେ କଟିବ ଫାଇନ, କମିସନରେଟ ପୁଲିସ ଆରମ୍ଭ କଲା ସ୍ଵତନ୍ତ୍ର ଡ୍ରାଇଭ୍

ଭୁବନେଶ୍ୱର,୯/୪(ସତ୍ୟପାଠ ବ୍ୟୁରୋ): ଏଣିକି ଗାଡ଼ି ନମ୍ବର ପ୍ଲେଟ ଲୁଚାଇଲେ ତଣ୍ଡ ଗଣିବାକୁ ପଡ଼ିବ। ଟ୍ରାଫିକ୍ ସିସିଟିଭିରୁ ବଞ୍ଚିବା ପାଇଁ ନମ୍ବର ପ୍ଲଟ ଭାଙ୍ଗିବା, ନମ୍ବର ଲିଭାଇବା ତଥା ନମ୍ବର ପ୍ଲ‌େଟ୍ ଘୋଡ଼ାଇଲେ ଏଥର କଟିବ ଚାଲାଣ। ଏଭଳି ଉଲ୍ଲଂଘନକାରୀଙ୍କୁ ସାବାଡ଼ କରିବା ପାଇଁ କମିସନରେଟ ପୁଲିସ ଏକ ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି। ଏଣିକି କୌଣସି ଗାଡ଼ି ନମ୍ବର ଲୁଚାଇଥିବା ଜଣାପଡ଼ିଲେ ୫୦୦ ଟଙ୍କା ଚାଲାଣ କଟିବ ବୋଲି ଟ୍ରାଫିକ ପୁଲିସ ପକ୍ଷରୁ ସୂଚନା ମିଳିଛି। ଏହାସହ ବିକଟାଳ ହର୍ନ ଲଗାଇଥିବା ଗାଡ଼ି ଗୁଡ଼ିକୁ ମଧ୍ୟ ପୋଲିସ ଧରିବ।

ଟ୍ରାଫିକ ପୁଲିସ ପକ୍ଷରୁ କୁହାଯାଇଛି ଯେ, ସବୁ ସ୍ଥାନରେ ଟ୍ରାଫିକ ‌ପୁଲିସ ନିୟୋଜିତ କରିବା ସମ୍ଭବ ନୁହେଁ। ତେଣୁ ସିସିଟିଭି ଲଗାଯାଇଛି। କିନ୍ତୁ ଯେଉଁ ଯୁବକମାନେ ଜାଣିଶୁଣି ଦ୍ରୁତବେଗରେ ଗାଡ଼ି ଚଳାଉଛନ୍ତି, ଭୁଲ ସାଇଡ୍‌ରେ ଗାଡ଼ି ଚାଳନା କରୁଛନ୍ତି, ହେଲମେଟ୍ ପିନ୍ଧୁ ନାହାନ୍ତି ସେମାନେ ନମ୍ବର ପ୍ଲେଟ ଲୁଚାଉଛନ୍ତି। ସେହିଭଳି କିଛି ଲୋକ ନମ୍ବର ପ୍ଲେଟରେ ଜାଲିଆତି କରୁଥିବା ଦେଖାଯାଉଛି। ଫଳରେ ଜଣଙ୍କ ଗାଡ଼ିର ଚାଲାଣ ଅନ‌୍ୟଜଣଙ୍କ ପାଖକୁ ଯାଉଥିବା ଅଭିଯୋଗ ବଢ଼ୁଛି। ଏହି ସବୁ କାର୍ଯ୍ୟ ରୋକିବାକୁ ଟ୍ରାଫିକ ‌ପୁଲିସ ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି।

ସହରରେ ପ୍ରମୁଖ ଛକଗୁଡିକରେ ଟ୍ରାଫିକ ପୁଲିସ ପକ୍ଷରୁ ଯାଞ୍ଚ କରାଯାଉଛି । ନମ୍ବର ପ୍ଲେଟ ବିକୃତ କରୁଥିବା ବ୍ୟକ୍ତିମାନଙ୍କୁଠୁ ଖାଲି ଜରିମାନା ନୁହେଁ ଆବଶ୍ୟକ ପଡିଲେ ସେମାନଙ୍କ ଗାଡି ଜବତ ହେବ ବୋଲି କହିଛନ୍ତି ଭୁବନେଶ୍ୱର ଟ୍ରାଫିକ୍ ଏସିପି ସ୍ୱସ୍ତିକ୍ ପଣ୍ଡା । ତେବେ ଯଦି କୌଣସି ଛକରେ ଟ୍ରାଫିକ ସମସ୍ୟା ଉପୁଜୁଛି ତେବେ ସୋଶିଆଲ ମିଡିଆ ମାଧ୍ୟମରେ ଟ୍ରାଫିକ୍ ପୁଲିସକୁ ଜଣାଇବାକୁ କହିଛନ୍ତି ଟ୍ରାଫିକ୍ ଏସିପି ।

Related Posts