ଭୁବନେଶ୍ୱର,୧୦/୧୦(ସତ୍ୟପାଠ ବ୍ୟୁରୋ): ବିଜେଡିଠୁ ଦୁରୋଉଛନ୍ତି କି ବରିଷ୍ଠ ନେତା ଅମର ଶତପଥୀ ? ଖୋଦ ଅମରଙ୍କ ବୟାନ ଏ ଆଡକୁ ଇସାରା କରୁଛି । ଗତକାଲି ଠାରୁ ଆରମ୍ଭ ହୋଇଛି ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ । ଯାଜପୁରରେ ମଧ୍ୟ ଦଳ ପକ୍ଷରୁ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରାଯାଇଛି । ଏଥିରେ ଜିଲ୍ଲାର ସମସ୍ତ ପ୍ରମୁଖ ନେତା ସାମିଲ ହୋଇଥିବା ବେଳେ ଅନୁପସ୍ଥିତ ଥିଲେ ବରିଷ୍ଠ ନେତା ଅମର ଶତପଥୀ । ଆଉ ଆଜି ଅନୁପସ୍ଥିତିର କାରଣ କହି ବିଜେଡି ଠାରୁ ଦୁରୋଉଥିବା ଚର୍ଚ୍ଚାକୁ ଖୋରାକ ଯୋଗାଇଛନ୍ତି ନିଜେ ଅମର ।
ଏନେଇ ସେ କହିଛନ୍ତି, ମୁଁ କିଛିଦିନ ହେବ ଏଭଳି କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖୁଛି। ତେବେ ଦଳରେ ତାଙ୍କୁ ଗୁରୁତ୍ବ ଅଣଦେଖା କରାଯାଉଛି କି ବୋଲି ପ୍ରଶ୍ନରେ ସେ କହିଛନ୍ତି ଯେ, ଏ ବିଷୟରେ ମତେ ନ ପଚାରି ଯେଉଁମାନେ କର୍ମକର୍ତ୍ତା ସେମାନଙ୍କୁ ପଚାରନ୍ତୁ।
ତେବେ ଅମରଙ୍କ ଏଭଳି ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି ଯେ, ଯାଜପୁର ବିଜେଡ଼ିରେ ସବୁକିଛି ଠିକ୍ ଚାଲିନାହିଁ। ଗତ ନିର୍ବାଚନରେ ବଡ଼ଚଣାରୁ ଅମରଙ୍କୁ ଟିକେଟ ନଦେଇ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟିକେଟ ଦେଇଥିଲା ବିଜେଡି । ଅମର ସେ ସମୟରେ ଖୋଲାଖୋଲି କୌଣସି ବିଦ୍ରୋହ କରିନଥିଲେ ମଧ୍ୟ ନିର୍ବାଚନରୁ ଦୁରେଇ ରହିଥିଲେ । ଆଉ ବିଜେଡି ନିର୍ବାଚନ ହାରିବା ପରେ ବିଭିନ୍ନ ସମୟରେ ଗଣମାଧ୍ୟମକୁ ଆସି ପରାଜୟ ପାଇଁ ଦଳର ନେତୃବୃନ୍ଦଙ୍କ ଭୁଲ ନିଷ୍ପତ୍ତିକୁ ସେ ଦାୟୀ କରି ଆସିଛନ୍ତି । ହେଲେ ବୁଧବାର ଦଳର ସଭ୍ୟ ସଂଗ୍ରହ ଅଭିଯାନରେ ଅମରଙ୍କ ଅନୁପସ୍ଥିତି ଆଉ ଆଜି ଗଣମାଧ୍ୟମକୁ ଏଭଳି ବୟାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏପରିକି ସେ ବିଜେଡି ଠାରୁ ନିଜକୁ ଦୁରେଇ ରଖିବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି ।





