(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମହାରାଷ୍ଟ୍ର ମହା ବିକାଶ ଅଘାଡୀ ଗଠବନ୍ଧନରେ ଦେଖାଦେଇଥିବା ମତଭେଦ ମଧ୍ୟରେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ସ୍ପଷ୍ଟ କରିଛନ୍ତି ଯେ ଭାରତୀୟ ଜନତା ପାର୍ଟି ସହ ହାତ ମିଶେଇବାର ପ୍ରଶ୍ନ ଉଠୁ ନାହିଁ। ଗଠବନ୍ଧନ ସରକାର ମହାରାଷ୍ଟ୍ରରେ ୫ ବର୍ଷ ପର୍ଯ୍ୟନ୍ତ ଶାସନ କରିବ । ରାଉତ କହିଛନ୍ତି, ” ମହା ବିକାଶ ଅଘାଡୀ ଗଠବନ୍ଧନରେ ଥିବା ଶିବସେନା, କଂଗ୍ରେସ ଏବଂ ଏନସିପି ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ କରୁଛନ୍ତି। ସେମାନେ ଏକାଠି ଅଛନ୍ତି ଏବଂ ଏକାଠି ରହିବେ। ଆମେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସରକାର ଚଳାଇବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି ।” ଶିବସେନା ବିଧାୟକ ପ୍ରତାପ ସାରନାଇକଙ୍କ ଚିଠିକୁ ନେଇ ଶିବସେନା ଓ ବିଜେପି ପୁଣି ଥରେ ଏକାଠି ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ସାରନାଇକ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଚିଠି ଲେଖି କହିଥିଲେ ଯେ, ଦଳର ନେତାମାନଙ୍କୁ କେନ୍ଦ୍ରୀୟ ଏଜେନ୍ସିର ହଇରାଣରୁ ରକ୍ଷା କରିବା ପାଇଁ ଶିବସେନା ପୁଣିଥରେ ବିଜେପି ସହ ହାତ ମିଳାଇବା ଭଲ ହେବ। ତେବେ ଏହାକୁ ନେଇ ଆରମ୍ଭ ହୋଇଥିବା କଳ୍ପନାଜଳ୍ପନା ମଧ୍ୟରେ ଶିବସେନା ନେତା ସଞ୍ଜୟ ରାଉତ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରି କହିଛନ୍ତି ଯେ, କିଛି ବାହାରୀ ଲୋକ କ୍ଷମତାକୁ ଫେରିବା ପାଇଁ ବ୍ୟାକୁଳ ହୋଇ ଅଛନ୍ତି। ସେମାନେ ଶିବସେନା, କଂଗ୍ରେସ ଏବଂ ଏନସିପି ଗଠବନ୍ଧନ ଭାଙ୍ଗିବାକୁ ଚେଷ୍ଟା କରିପାରନ୍ତି କିନ୍ତୁ ସେମାନେ ଏଥିରେ ସଫଳ ହେବେ ନାହିଁ ବୋଲି ଶିବସେନା ନେତା କହିଛନ୍ତି। ବିରୋଧୀଙ୍କୁ କଟାକ୍ଷ କରି ସଞ୍ଜୟ ରାଉତ କହିଛନ୍ତି ଯେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବିରୋଧୀ ଦଳର ନେତାମାନେ ଶବାସନା କରିବା ଉଚିତ୍ । ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପାଟୋଲ୍ ଗତ କିଛିଦିନ ତଳେ କହିଥିଲେ ଯେ ଆଗାମୀ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ଏକାକୀ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ଅଛି। ଏହା ପରେ ଗଠବନ୍ଧନରେ ମତଭେଦ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶନିବାର ଦିନ କଂଗ୍ରେସ ଦଳର ନାମ ନନେଇ କହିଛନ୍ତି ଯେ ଲୋକମାନଙ୍କ ସମସ୍ୟାର ସମାଧାନ ନକରି କେବଳ ଏକାକୀ ନିର୍ବାଚନ ଲଢିବା କଥା କହିଲେ ଲୋକେ ତାଙ୍କୁ ଜୋତାରେ ପିଟିବେ। ଉଦ୍ଧବ ଠାକରେଙ୍କ ଏହି ବୟାନର ଗୋଟିଏ ଦିନ ପରେ ପାଟୋଲ କହିଛନ୍ତି ଯେ ସରକାର ଏହାର ପାଞ୍ଚ ବର୍ଷ କାର୍ଯ୍ୟକାଳ ଶେଷ ନହେବା ପର୍ଯ୍ୟନ୍ତ ଗଠବନ୍ଧନ ସରକାରକୁ କଂଗ୍ରେସ ସମର୍ଥନ ଦେବ।





