ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଶୁକ୍ରବାର ବିଳମ୍ବିତ ରାତି ପାଖାପାଖି ୧୧ଟା ୫୦ରେ ବିମାନ ବନ୍ଦରରେ ପହଞ୍ଚିଥିଲେ ଶାହା । ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ବିଜେପି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜଣାଯାଇ ଥିଲା ।
ତେବେ ଶାହ ଆଜି ଲୋକସେବା ଭବନ ଯାଇ ଦିନ ୧୧ଟା ସମୟରେ ଭର୍ଚ୍ଚୁଆଲ ମାଧ୍ୟମରେ ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ର ଗୃହମନ୍ତ୍ରୀ ।ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ NHAIର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେବେ । ଏହାପରେ ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ଲୋକସେବା ଭବନରେ ନକ୍ସଲ ଦମନ ପଦକ୍ଷେପ ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଉପରେ ସମୀକ୍ଷା ବୈଠକ କରିବେ କେନ୍ଦ୍ର ଗୃହମନ୍ତ୍ରୀ । ଅପରାହ୍ଣ ୨ଟାରୁ ୫ଟା ପର୍ଯ୍ୟନ୍ତ ଦଳୀୟ କର୍ମକର୍ତ୍ତା ଓ ବରିଷ୍ଠ ନେତୃବୃନ୍ଦଙ୍କ ସହ ରୁଦ୍ଧ ଦ୍ବାର ବୈଠକ କରିବେ ଅମିତ୍ ଶାହା ।
ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପୂର୍ବତନ ସଭାପତି ସମୀର ମହାନ୍ତି, ସାଂସଦ ବସନ୍ତ ପଣ୍ଡା, ପ୍ରତାପ ଷଡଙ୍ଗୀ, ସଙ୍ଗୀତା ସିଂହଦେଓ, ଅପରାଜିତା ଷଡଙ୍ଗୀ, ମୋହନ ମାଝୀ, ଗୋଲକ ମହାପାତ୍ର ପ୍ରମୁଖ ବହୁ ନେତା ତାଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ ଜଣାଇଥିଲେ । ଏହା ପରେ କଡା ସୁରକ୍ଷା ମଧ୍ୟରେ ହୋଟେଲକୁ ଯାଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ । ପାରମ୍ପରିକ ନାଚ ଗୀତ ସହ ତାଙ୍କୁ ସ୍ୱାଗତ କରାଯାଇଥିଲା । ରାଜ୍ୟ ବିଜେପି ନେତା ମଧ୍ୟ ଶାହଙ୍କ ଗସ୍ତ ପାଇଁ ବେଶ୍ ଉତ୍ସାହିତ । ହାତରେ ପ୍ଲାକାର୍ଡ ଧରି ଅମିତ ଶାହଙ୍କୁ ସ୍ୱାଗତ କରିବା ପାଇଁ ଏକାଠି ହୋଇଥିଲେ । ତେବେ ଶାହାଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପି କ୍ୟାମ୍ପ ଉତ୍ସାହିତ ଥିବା ଦେଖାଯାଇଛି ।





