ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ଆଜିଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆଜି ରାତି ପ୍ରାୟ ୧୦ ଟା ୪୫ରେ ଭୁବନେଶ୍ୱରରେ ପହଞ୍ଚିବେ ଶାହ । ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆସିବା ନେଇ ସୂଚନା ମିଳିଛି । ଏହି ଗସ୍ତ ଅବସରରେ ରାଜ୍ୟରେ କିଛି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ସହ ଦଳୀୟ କର୍ମକର୍ତ୍ତାଙ୍କୁ ମଧ୍ୟ ଶାହ ଭେଟିବେ।
ସୂଚନା ଅନୁସାରେ ଆସନ୍ତାକାଲି ଦିନ ୧୧ଟା ସମୟରେ ଲୋକସେବା ଭବନରେ ଭର୍ଚୁଆଲ ମାଧ୍ୟମରେ ୨ ଟି ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କର୍ଯ୍ୟକ୍ରମରେ ସେ ଯୋଗ ଦେବେ । ସୁକିନ୍ଦା କାମାକ୍ଷାନଗର ଏବଂ ଚଣ୍ତିଖୋଲ-ଭଦ୍ରକ ଜାତୀୟ ରାଜପଥ ପ୍ରକଳ୍ପର ଶାହ ଶୁଭାରମ୍ଭ କରିବେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିବେ ।
ଏହାପରେ ଦିନ 12 ଟା ରୁ 12.30 ପର୍ଯ୍ୟନ୍ତ ନକ୍ସଲ ଦମନ ପଦକ୍ଷେପ ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ଏକ ବୈଠକରେ ସେ ଯୋଗ ଦେବେ ।
ପରେ ସେ ବିଜେପି ରାଜ୍ୟ କାର୍ଯ୍ୟଳୟକୁ ଆସିବେ ସେଠାରେ ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ନ 2 ଟା ରୁ 5 ଟା ପର୍ଯ୍ୟନ୍ତ ଦଳୀୟ କର୍ମକର୍ତ୍ତା ଓ ବରିଷ୍ଠ ନେତୃବୃନ୍ଦଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିବେ । ଶନିବାର ସନ୍ଧ୍ୟା 6ଟାରେ ଭୁବନେଶ୍ୱର ଛାଡିବା ପୂର୍ବରୁ ବିମାନବନ୍ଦର ଲାଉଞ୍ଜରେ ମଧ୍ୟ ଦଳୀୟ କର୍ମକର୍ତ୍ତାଙ୍କ ସହ ଏକ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ତେବେ ରାଜ୍ୟରେ ଆଗୁଆ ବିଧାନସଭା ନିର୍ବାଚନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ରାଜ୍ୟରେ ଏବେ ରାଜନୈତିକ ମହୋଲ ସରଗରମ ରହିଥିବା ବେଳେ ଶାହ ଦଳୀୟ ନେତାଙ୍କୁ କି ଗୁରୁମନ୍ତ୍ର ଦେଉଛନ୍ତି ଓ ଏହି ଗସ୍ତ ବିଜେପି ପାଇଁ କେତେ ସହାୟକ ହେଉଛି ଏବେ ତାହାରି ଉପରେ ସମସ୍ତଙ୍କ ନଜର।





