ମୁମ୍ବାଇ: ମହାରାଷ୍ଟ୍ରର ଅମରାବତୀରେ ଜଣେ ଔଷଧ ଦୋକାନୀ ଉମେଶ କୋଲହେଙ୍କୁ ହତ୍ୟା ଘଟଣାରେ ରାୟ ଶୁଣାଇଛନ୍ତି କୋର୍ଟ । ଏହି ଘଟଣାକୁ ନେଇ ୭ଜଣଙ୍କୁ ଗିରଫ କରାଯାଇଛି। ଉମେଶ କୋଲହେ ହତ୍ୟା ମାମଲାରେ ସ୍ଥାନୀୟ କୋର୍ଟ ମାଷ୍ଟରମାଇଣ୍ଡ ଶେଖ ଇରଫାନ ଶେଖ ରହୀମକୁ ଜୁଲାଇ ୭ପର୍ଯ୍ୟନ୍ତ ପୁଲିସ ହେପାଜତକୁ ପଠାଇଛନ୍ତି।
ସୂଚନାଯୋଗ୍ୟ, ବିଜେପିର ପୂର୍ବତନ ଜାତୀୟ ମୁଖପାତ୍ର ନୂପୁର ଶର୍ମାଙ୍କୁ ସମର୍ଥନ କରୁଥିବା ପୋଷ୍ଟ ଫରୱାର୍ଡ କରିଥିବାରୁ ଜୁନ୍ ୨୧ ତାରିଖରେ ତାଙ୍କୁ ହତ୍ୟା କରାଯାଇଥିଲା। ଏବେ ଏହାର ତଦନ୍ତ ଭାର ଏନଆଇଏକୁ ଦିଆଯାଇଥିବା ବେଳେ, ଏନଆଇଏ ଅଭିଯୁକ୍ତଙ୍କ ବିରୋଧରେ ୟୁଏପିଏ ସମେତ ଅନ୍ୟାନ୍ୟ ଧାରା ଅଧୀନରେ ଏକ ମାମଲା ରୁଜୁ କରିଛି।
ଅନ୍ୟପକ୍ଷରେ ଗିରଫ ହୋଇଥିବା ଅଭିଯୁକ୍ତ ୟୁସୁଫ ଖାନ୍ ଉମେଶଙ୍କ ଭଲ ବନ୍ଧୁ ଥିଲେ ବୋଲି କହିଛନ୍ତି ଉମେଶଙ୍କ ଭାଇ। ଏମିତି କି ୟୁସୁଫ ଉମେଶଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ ବୋଲି ଉମେଶଙ୍କ ଭାଇ ଜଣାଇଛନ୍ତି। ଜାତୀୟ ଗଣମାଧ୍ୟମ ନିଉଜ୍ ୧୮ ମୁତାବକ, ଗୋଟିଏ ହ୍ବାଟସ୍ ଆପ୍ ଗ୍ରୁପରେ ଅନ୍ୟ ସଦସ୍ୟଙ୍କ ବ୍ୟତୀତ ଉମେଶ କୋଲହେ ଏବଂ ୟୁସୁଫ ଥିଲେ। ନୂପୁର ଶର୍ମାଙ୍କୁ ସମର୍ଥନ କରାଯାଇଥିବା କିଛି ପୋଷ୍ଟକୁ ଉମେଶ ଏହି ଗ୍ରୁପରେ ଫରୱାର୍ଡ କରିଥିଲେ। ଉମେଶ ନିଜେ କିଛି ଲେଖିନଥିବା ସହ ଖାଲି ପୋଷ୍ଟକୁ ଗ୍ରୁପରେ ଫରୱାର୍ଡ କରିଥିବା ଜାଣି ବି ସାଙ୍ଗରୁ ଶତ୍ରୁ ପାଲଟି ଯାଇଥିଲା ୟୁସୁଫ। ଉମେଶ ସେୟାର କରିଥିବା ପୋଷ୍ଟର ସ୍କ୍ରିନସଟ ନେଇ ୟୁସୁଫ ଖାନ ଏହାକୁ ବିଭିନ୍ନ ହ୍ବାଟସଆପ ଗ୍ରୁପରେ ଭାଇରାଲ କରିଥିଲା। ଏହା ପରେ ହିଁ ଉମେଶଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଇଥିଲା ।





