ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନିଜର ସବୁ ସମ୍ପତ୍ତିକୁ କଂଗ୍ରେସର ପୂର୍ବତନ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ନାମରେ ହସ୍ତାନ୍ତର କରି ବେଶ ଚର୍ଚ୍ଚାରେ ରହିଛନ୍ତି ଜଣେ ୭୮ ବର୍ଷୀୟ ବୃଦ୍ଧା । ତେବେ ବୃଦ୍ଧା ଜଣକ ଦେରାଡୁନର ବାସିନ୍ଦା ଏବଂ ତାଙ୍କ ନାମ ପୁଷ୍ପା ମୁ୍ୟଜିଆଲ ବୋଲି ଜଣାପଡ଼ିଛି । ସେପଟେ ଏପରି କରିବା ପଛରେ ଏକ ବିଶେଷ କାରଣ ଅଛି ବୋଲି କହିଛନ୍ତି ପୁଷ୍ପା । ତେବେ ମହାନଗର ନିଗମର ସଭାପତି ଲାଲଚାନ୍ଦ ଶର୍ମା କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ନାମରେ ତାଙ୍କ ସମ୍ପତ୍ତିର କାଗଜ ପତ୍ରକୁ ଯମୁନା କଲୋନୀରେ ଥିବା ତାଙ୍କ ବାସଭବନରେ ପୂର୍ବତନ ରାଜ୍ୟ ସଭାପତି ପ୍ରୀତମ ସିଂଙ୍କୁ ବୃଦ୍ଧା ଜଣକ ହସ୍ତାନ୍ତର କରିଥିଲେ । ହସ୍ତାନ୍ତର କରି କହିଛନ୍ତି ଯେ ସେ ରାହୁଲଙ୍କ ବିଚାରରେ ଅତ୍ୟଧିକ ପ୍ରଭାବିତ ହୋଇଛନ୍ତି। ସ୍ୱାଧୀନତା ଠାରୁ ଆଜି ପର୍ୟ୍ୟନ୍ତ ଗାନ୍ଧୀ ପରିବାର ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି।
ଏପରିକି ଇନ୍ଦିରା ଗାନ୍ଧୀ ହେଉ କିମ୍ବା ରାଜୀବ ଗାନ୍ଧୀ, ସେ ଏହି ଦେଶର ଏକତା ଏବଂ ଅଖଣ୍ଡତା ପାଇଁ ନିଜ ଜୀବନକୁ ବଳିଦାନ ଦେଇଛନ୍ତି । ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଦେଶର ସେବା ପାଇଁ ନିଜକୁ ଉତ୍ସର୍ଗ କରିଛନ୍ତି ବୋଲି ପୁଷ୍ପା କହିଛନ୍ତି । ଅନ୍ୟପଟେ ଅଦାଲତରେ ତାଙ୍କ ସମ୍ପତ୍ତିର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରି ପୁଷ୍ପା ରାହୁଲ ଗାନ୍ଧୀଙ୍କ ନାମରେ ଏକ ଆଫିଡେଭିଟ ଉପସ୍ଥାପନ କରିଛନ୍ତି । ଯେଉଁଥିରେ ତାଙ୍କ ମୃତ୍ୟୁ ପରେ ତାଙ୍କର ସମସ୍ତ ସମ୍ପତ୍ତିର ମାଲିକାନା ରାହୁଲଙ୍କୁ ହସ୍ତାନ୍ତର କରାଯିବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।





