ଭାରତୀୟ କୁସ୍ତି ମହାସଂଘ ସଭାପତିଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଧାରଣାରେ ବସିଲେ ଭାରତୀୟ ଷ୍ଟାର ରେସଲର

ଭୁବନେଶ୍ୱର, ୧୮/୧(ସତ୍ୟପାଠ ବ୍ୟୁରୋ): ଭାରତର ଭିନେଶ ଫୋଗଟ ଓ ସାକ୍ଷୀ ମଲିକଙ୍କ ପରି ଷ୍ଟାର ରେସଲର ଆଜି ଭାରତୀୟ କୁସ୍ତି ମହାସଂଘ (ରେସଲିଂ ଫେଡେରେଶନ ଅଫ ଇଣ୍ଡିଆ)ର ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଦିଲ୍ଲୀର ଜନ୍ତର ମନ୍ତରରେ ଧାରଣାରେ ବସିଛନ୍ତି । ଏପରିକି ସେମାନେ ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ମଧ୍ୟ ଆଣିଛନ୍ତି । ଜାତୀୟ କ୍ୟାମ୍ପସଗୁଡିକରେ ନିଯୁକ୍ତ କେତେକ କୋଚ ମହିଳା ରେସଲରଙ୍କ ଉପରେ ବର୍ଷ ବର୍ଷ ଧରି ଯୌନ ନିର୍ଯ୍ୟାତନା ଦେଇ ଆସୁଛନ୍ତି ।

ଆଉ ଧୈର୍ଯ୍ୟ ଧରି ନ ହେବାରୁ ଆମେ ଏହି ପନ୍ଥା ଆପଣାଇଛୁ ବୋଲି ଭିନେଶ କହିଛନ୍ତି । ମୋତେ ମାରିବା ପାଇଁ ସେ ଧମକ ମଧ୍ୟ ଦେଇ ସାରିଛନ୍ତି । ଯଦି କୌଣସି ରେସଲର କିଛି ଅସୁବିଧା ହୁଏ ତାହାହେଲେ ଡବ୍ଲ୍ୟୁଏଫଆଇ ଦାୟୀ ହେବ ବୋଲି ସେ କହିଛନ୍ତି । କ୍ୟାରିୟର ପାଇଁ ଆମେ ସବୁ କିଛି ବାଜିରେ ଲଗାଇ ଦେଇଥିବା ବେଳେ ସେ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେବାରେ ପଛାଉ ନାହାନ୍ତି ।

ଷ୍ଟାର ରେସଲର ବଜରଙ୍ଗ ପୁନିଆ, ଭିନେଶ ଫୋଗଟ, ସାକ୍ଷୀ ମଲିକ, ସରିତା, ଅମିତ ଧନଖଡ, ସୁଜିତ ମାନ, ରାହୁଲ ମାନ, ଅଂଶ ମଲିକ, ସତ୍ୟବ୍ରତ କାଦୟନ, ସଙ୍ଗୀତା ଫୋଗଟ, ସୋନମ ଓ ଜିତେନ୍ଦ୍ର ଏହି ଧାରଣାରେ ବସିଛନ୍ତି । ବିଶାଖପଟନମରେ ଆୟୋଜିତ ସିନିୟର ରେସଲିଂ ଚାମ୍ପିୟନଶିପରେ ଫେଡେରେଶନ ନୂତନ ରେଫରି ନିଯୁକ୍ତ କରିଥିଲା । ସେ ଖେଳର ନିୟମ ବିଷୟରେ ଭଲ ଭାବେ ଜାଣି ନ ଥିବାରୁ ଅଶାନ୍ତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ବଜରଙ୍ଗ ପୁନିଆ ଏ ନେଇ ଅଭିଯୋଗ କରିବାରୁ ତାଙ୍କୁ ସସପେଣ୍ଡ କରି ଦିଆ ଯାଇଥିଲା । ଏହିଠାରୁ ଅଶାନ୍ତି ବଢ଼ିଥିଲା ଏବଂ ଅଧିକାଂଶ ରେସଲର ବ୍ରିଜ ଭୂଷଣଙ୍କୁ ହଟାଇବା ପାଇଁ ଜିଦ ଧରି ବସିଛନ୍ତି । ଏହାର ସମାଧାନ ନ ବାହାରିବା ପର୍ଯ୍ୟନ୍ତ କୌଣସି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି ।

Related Posts