ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ମଙ୍ଗଳବାର ଅଯୋଧ୍ୟାରୁ ପ୍ରଥମ ନିମନ୍ତ୍ରଣପତ୍ର ମହାପ୍ରଭୁଙ୍କୁ ଶ୍ରୀଜଗନ୍ନାଥଙ୍କୁ ପ୍ରଦାନ କରାଯାଇଛି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର କମିଟିର ଓଡ଼ିଶା କାର୍ଯ୍ୟକର୍ତ୍ତା ଡା. ବସନ୍ତ ପତି ଓ ଅନ୍ୟମାନେ ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଏହି ନିମନ୍ତ୍ରଣପତ୍ର ଦେଇଛନ୍ତି।
ନିମନ୍ତ୍ରଣପତ୍ର ଲାଗି ପରେ ମହାପ୍ରଭୁଙ୍କଠାରୁ ମିଳିଥିବା ଗୁଆ ଓ ଆଜ୍ଞାମାଳ ଅଯୋଧ୍ୟା ଯିବ। କମିଟିର ଓଡ଼ିଶା କାର୍ଯ୍ୟକର୍ତ୍ତା ଡା. ପତି କହିଛନ୍ତି, ଆଜି ପାରମ୍ପରିକ ରୀତିନୀତି ଅନୁସାରେ ନୂଆ ଲୁଗା, ଗୁଆ, ନଡ଼ିଆ, ପାନ, ଚାଉଳ ଆଦି ମହାପ୍ରଭୁଙ୍କୁ ପ୍ରଦାନ କରାଯାଇଛି। ଶ୍ରୀମନ୍ଦିର ଖୁଣ୍ଟିଆ ସେବକଙ୍କ ଜରିଆରେ ଏହି ନିମନ୍ତ୍ରଣପତ୍ର ମହାପ୍ରଭୁଙ୍କୁ ଲାଗି କରାଯାଇଛି। ଶ୍ରୀରାମମନ୍ଦିର ପ୍ରତିଷ୍ଠା ଉତ୍ସବର ଏହା ପ୍ରଥମ ନିମନ୍ତ୍ରଣପତ୍ର। ପରେ ଓଡ଼ିଶାର ୨୫ଜଣ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣପତ୍ର ପ୍ରଦାନ କରାଯିବ। ଏହି ୨୫ଜଣଙ୍କ ଭିତରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରହିଛନ୍ତି ବୋଲି ଡା. ପତି ସୂଚନା ଦେଇଛନ୍ତି।





