ଭୁବନେଶ୍ୱର,୨୩/୨(ସତ୍ୟପାଠ ବ୍ୟୁରୋ): ବରିଷ୍ଠ କଂଗ୍ରେସ ନେତା ପୱନ ଖେଡ଼ାଙ୍କ ଗିରଫଦାରୀକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଆଜି କେନ୍ଦ୍ର ବିରୋଧରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଦେଶରେ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି। ଜରୁରୀକାଳୀନ ପରିସ୍ଥିତି ଅପେକ୍ଷା ଦେଶର ଅବସ୍ଥା ଅଧିକ ଖରାପ ରହିଛି।
ସେ ଆହୁରି କହିଛନ୍ତି ଯେ, ପୱନ ଖେଡ଼ାଙ୍କ ଗିରଫଦାରୀ ଆମ ଦେଶକୁ ବଦନାମ କରିଛି। ଏହାଠାରୁ ଅଧିକ ଦୁର୍ଭାଗ୍ୟଜନକ କିଛି ହୋଇପାରେ ନାହିଁ। ସେଥିପାଇଁ ଆମ ଗଣତନ୍ତ୍ର ବିପଦରେ ଅଛି ଏବଂ ସମ୍ବିଧାନକୁ ଭାଙ୍ଗିରୁଜି ଦିଆଯାଉଛି ବୋଲି ସେ କହିଛନ୍ତି। ସେମାନଙ୍କର ଏହି ଗର୍ବ କାମ କରିବ ନାହିଁ। ଜନସାଧାରଣ ସେମାନଙ୍କର ଗର୍ବକୁ ନଷ୍ଟ କରିବେ ବୋଲି ସେ କେନ୍ଦ୍ରକୁ ଟାର୍ଗେଟ କରି କହିଛନ୍ତି।
ଏହାପୂର୍ବରୁ ଆଜି କଂଗ୍ରେସ ନେତା ପବନ ଖେଡ଼ା କହିଛନ୍ତି ଯେ, ଆସାମ ପୁଲିସ ତାଙ୍କୁ ଜାତୀୟ ରାଜଧାନୀ ଦିଲ୍ଲୀରୁ ଗିରଫ କରିବା ପରେ ସେ ଦୀର୍ଘ ସମୟ ଲଢ଼େଇ ପାଇଁ ପ୍ରସ୍ତୁତ ଅଛନ୍ତି। ଆମେ ଦେଖୁଛୁ କେଉଁ ପରିସ୍ଥିତିରେ ସେମାନେ ମୋତେ ନେଉଛନ୍ତି । ଏହା ଏକ ଲମ୍ବା ଯୁଦ୍ଧ ଏବଂ ମୁଁ ଯୁଦ୍ଧ କରିବାକୁ ପ୍ରସ୍ତୁତ ଅଛି ବୋଲି ଶ୍ରୀ ଖେଡ଼ା କହିଛନ୍ତି । ରାୟପୁର ଯିବା ପାଇଁ ପବନ ଆଜି ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିବା ବେଳେ ତାଙ୍କୁ ଆସାମ ପୁଲିସ ଆସି ଗିରଫ କରିଥିଲା। ଶ୍ରୀ ଖେଡ଼ାଙ୍କୁ ବିମାନବନ୍ଦରରେ ଗିରଫ କରାଯିବା ପ୍ରତିବାଦରେ ଆଜି ବିମାନ ବନ୍ଦରରେ ଅନ୍ୟ କଂଗ୍ରେସ କର୍ମୀ ଓ ନେତାମା ମାନେ ଜୋରଦାର ବିରୋଧ କରଥିଲେ।
ସୂଚନାଯୋଗ୍ୟ ଯେ, ଗୁରୁବାର ପବନ ଅନ୍ୟ ଦଳୀୟ ନେତାଙ୍କ ସହ ରାୟପୁରରେ ଆୟୋଜିତ ଅଧିବେଶନରେ ଯୋଗଦେବାକୁ ଯାଉଥିଲେ। ଦିଲ୍ଲୀ ବିମାନବନ୍ଦରରେ ତାଙ୍କୁ ଗିରଫ କରାଯାଇଛି।ପୱନ ଦିଲ୍ଲୀରୁ ରାୟପୁର ବିମାନରେ ବସିଥିଲେ। ତାଙ୍କୁ ହଠତ୍ ଓହ୍ଲାଇବାକୁ କୁହାଯାଇଥିଲା ଏବଂ ପରେ ଗିରଫ କରାଯାଇଥିଲା।





