ଭୁବନେଶ୍ୱର,୨/୪ (ସତ୍ୟପାଠ ବ୍ୟୁରୋ): ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଥିବା ଏକ ଅଟୋରୁ ଆଜି ଅଚିହ୍ନା ମୃତଦେହ ଉଦ୍ଧାର କରାଯାଇଛି। କ୍ୟାମ୍ପସ ଭିତର ଅଡିଟୋରିୟମ୍ କଡ଼ରେ ଥିବା ଏକ ଅଟୋରୁ ଏକ ଯୁବକଙ୍କ ମୃତଦେହ ମିଳିଛି। ଏହି ମୃତଦେହକୁ ନେଇ ବର୍ତ୍ତମାନ ରମାଦେବୀ କ୍ୟାମ୍ପସରେ ତଦନ୍ତ ଆରମ୍ଭ କରିଛି ପୁଲିସ।
ସୂଚନାଯୋଗ୍ୟ, ରବିବାର କ୍ୟାମ୍ପସ ଭିତରେ ଏକ ଅଟୋକୁ ଦେଖିବାକୁ ପାଇଥିଲେ ଛାତ୍ରଛାତ୍ରୀ। ଭୟରେ ସେମାନେ ତୁରନ୍ତ କଲେଜ କର୍ତ୍ତୃପକ୍ଷଙ୍କ ସହ ପୁଲିସକୁ ମଧ୍ୟ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଠାବ କରିବା ସହ କ୍ୟାମ୍ପସ ଭିତରେ ପଚରାଉଚରା କରିଥିଲା।
କିନ୍ତୁ ଛାତ୍ରୀମାନେ କ୍ୟାମ୍ପସ ଭିତରକୁ ଅଟୋ ଆସିବାର କିମ୍ବା ତାକୁ କିଏ କ୍ୟାମ୍ପସ ଭିତରକୁ ଚଲାଇ ଆଣିଲା ଏ ସମ୍ବନ୍ଧରେ କିଛି ଜାଣିନଥିବା କହିଛନ୍ତି। ତେବେ ଅଟୋ ନମ୍ବର ପ୍ଲେଟରୁ ପୁଲିସ ଗାଡ଼ି ମାଲିକକୁ ଠାବ କରି ପଚରାଉଚରା ଚାରିରଖିଛି। କିନ୍ତୁ ଅଟୋ ଡ୍ରାଇଭରଜଣଙ୍କ ପୁଲିସ ଆଗରେ ମୁହଁ ଖୋଲୁନଥିବା ଜଣାପଡ଼ିଛି। ତେବେ ମୃତଦେହରେ କୌଣସି କ୍ଷତାକ୍ତ ଚିହ୍ନ ନଥିବା ବେଳେ ମୃତ୍ୟୁ ପଛର କାରଣ କଣ ହୋଇପାରେ ସେନେଇ ତଦନ୍ତ ଆରମ୍ଭ କରିଛି ପୁଲିସ । ମୃତକର ପରିଚୟ ଖୋଜିବା ପୁଲିସ ପାଇଁ ବର୍ତ୍ତମାନ ଜରୁରୀ ହୋଇପଡ଼ିଛି। ପରେ ଅଟୋ ଡ୍ରାଇଭର ସହ ମୃତକ ପରିଚିତ କି ନାହିଁ ସେ ଦିଗରେ ତଦନ୍ତ କରାଯିବ। ଅନ୍ୟପଟେ ପୁଲିସ ସମୃକ୍ତ ମୃତଦେହଟିକୁ ଅଟୋରୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିବା ସୂଚନା ମିଳିଛି।





