ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ଲୋକସଭାରେ ଅବିଶ୍ୱାସ ପ୍ରସ୍ତାବ ବିତର୍କରେ କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ସେ କହିଛନ୍ତି କି, ଦେଶର ମୁଖ୍ୟ ହିସାବରେ ପ୍ରଧାନମନ୍ତ୍ରୀ ମୋଦୀ ମଣିପୁର ଲୋକଙ୍କ ସହ ମନ୍ କି ବାତ୍ କରିବା ଉଚିତ । ଏହି ଦାବି କିଛି ଭୁଲ ଦାବି ନୁହେଁ, ଏହା ଦେଶର ସାଧାରଣ ଜନତାଙ୍କ ଦାବି ।ଏହାସହ ମୋଦୀ ୧୦୦ ଥର ପ୍ରଧାନମନ୍ତ୍ରୀ ହୁଅନ୍ତୁ ତା ଉପରେ ଆମର କୌଣସି ଆପତ୍ତି ନାହିଁ ହେଲେ ଆମର ଦେଶର ଲୋକଙ୍କ ସହ ନେଣଦେଣ ରହିଛି ।
ଏହା ପୂର୍ବରୁ ଅଧୀର ରଂଜନ କହିଥିଲେ କି ଅନାସ୍ଥା ପ୍ରସ୍ତାବର ଶକ୍ତି ଦେଖନ୍ତୁ, ଆମେ ଏହି ପ୍ରସଙ୍ଗରେ ମୋଦୀଙ୍କୁ ସଂସଦ ଆସିବାକୁ ବାଧ୍ୟ କରିଦେଲୁ । ଏହା ବିରୋଧୀ ଓ ସଂସଦୀୟ ପରମ୍ପରାର ଶକ୍ତି ବୋଲି ସେ କହିଛନ୍ତି । ଆମେ ଦାବି କରିଥିଲୁ ମଣିପୁର ପ୍ରସଙ୍ଗରେ ମୋଦୀ ସଂସଦର ଆଲୋଚନାରେ ଭାଗ ନିଅନ୍ତୁ । କିନ୍ତୁ କିଏ ଜାଣିଛି ମୋଦୀ ସଂସଦ ଆସିବେ ନାହିଁ ବୋଲି ରାଣ ଖାଇଛନ୍ତି । ଆମେ କେବେ ଅବିଶ୍ୱାସ ପ୍ରସ୍ତାବ ଆଣିବୁ ତାହା ଭାବି ନଥିଲୁ, ହେଲେ ପରିସ୍ଥିତିକୁ ଦେଖି ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ବାଧ୍ୟହେଲୁ ବୋଲି ସେ କହିଛନ୍ତି ।
ମଣିପୁର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଅଧିର ରଂଜନ କହିଛନ୍ତି କି, ଯେଉଁ ରାଜ୍ୟର ରାଜା ଅନ୍ଧ ଅଟନ୍ତି ସେଠାରେ ଦୌପଦୀମାନଙ୍କର ବସ୍ତ୍ରହରଣ ହୋଇଥାଏ । ଏହା ଉପରେ ଗୃହମନ୍ତ୍ରୀ ଅମିତ୍ ଶାହା କହିଥିଲେ କି ‘ଆପଣ ପ୍ରଧାନମନ୍ତ୍ରୀଙ୍କ ବାବଦରେ ସଂସଦରେ ଏଭଳି କହିପାରିବେ ନାହିଁ’
ଏହାର ଉତ୍ତରରେ ଅଧୀର ରଂଜନ ଚୌଧୁରୀ କହିଥିଲେ କି ମୁଁ ଏହା କହିବାକୁ ଚାହୁଁଛି କି, ପ୍ରଧାନମନ୍ତ୍ରୀ ମୋଦୀ ପ୍ରତି ପ୍ରସଙ୍ଗରେ କିଛି ନା କିଛି କହିଥାନ୍ତି । ହେଲେ ମଣିପୁର ପ୍ରସଙ୍ଗରେ ଚୁପ ରହୁଛନ୍ତି । ତେଣୁ ଆମକୁ ଏହା ପସନ୍ଦ ଆସୁନାହିଁ । ମଣିପୁରର ଦୁଇଜଣ ସାଂସଦ ମଧ୍ୟ ରହିଛନ୍ତି, ହେଲେ ସେମାନଙ୍କୁ ସଂସଦରେ କହିବାର ସୁଯୋଗ ଦିଆଯାଉନାହିଁ । ଏହାପରେ ସେ ଗୃହମନ୍ତ୍ରୀଙ୍କୁ ଏକ କଡା ପ୍ରଶ୍ନ କରିଥିଲେ । ଏଥିରେ ସେ ପଚାରିଥିଲେ କି ଆପଣ କହୁଛନ୍ତି ବଫର ଜୋନରେ ଆପଣ ସେନା ନିଯୁକ୍ତ କରିଛନ୍ତି , ବଫର ଜୋନ ଲାଇନ୍ ଅଫ୍ କଣ୍ଟ୍ରୋଲ ଠାରେ ନିର୍ମାଣ ହୋଇଛି । ଏହାର ଅର୍ଥ ଆପଣ କଣ ସ୍ୱୀକାର କରୁଛନ୍ତି ?
ଅଧୀର ରଂଜନ ସେତିକିରେ ଅଟକି ନଥିଲେ । ସେ ପଳାତକ ବ୍ୟବସାୟୀ ନୀରବ ମୋଦୀଙ୍କ ପ୍ରସଙ୍ଗ ଉଠାଇ ମଧ୍ୟ ସରକାରଙ୍କୁ ଘେରିଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଳାତକ ବ୍ୟବସାୟୀ ନୀରବ ମୋଦୀଙ୍କ ସହ ତୁଳନା କରିଛନ୍ତି । ନୀରବ ମୋଦୀ ବିଦେଶରେ ବୁଲୁଛନ୍ତି ଓ ତାଙ୍କ ଫଟୋ ଆମେ ଦେଖୁଛୁ । ଆମକୁ ଲାଗୁଥିଲା କି ନୀରବ ମୋଦୀ ବିଦେଶ ପଳାଇଯାଇଛନ୍ତି । ହେଲେ ଏବେ ଆମେ ନୀରବ ମୋଦୀଙ୍କ ସ୍ଥାନରେ ନରେନ୍ଦ୍ର ମୋଦୀଙ୍କୁ ଦେଖୁଛୁ ବୋଲି ସେ କହିଛନ୍ତି।





