ପୁଣି ଦିଲ୍ଲୀରେ ବିଜେପି ସମର୍ଥନରେ ବିଜେଡି: ଅନାସ୍ଥା ପ୍ରସ୍ତାବକୁ ବିରୋଧ, ଦିଲ୍ଲୀ ଅଧ୍ୟାଦେଶ ବିଲ୍କୁ ସମର୍ଥନ କରିବ ଦଳ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମଣିପୁର ହିଂସା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିରୋଧୀ ମେଣ୍ଟ ଅନାସ୍ଥା ପ୍ରସ୍ତାବ ଆଣିଥିବାବେଳେ ଏହାକୁ ବିରୋଧ କରିବ ବିଜେଡି| ସଂସଦରେ ଆସନ୍ତା ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବାକୁ ଥିବାବେଳେ ବିଜେଡି ଏହାକୁ ସମର୍ଥନ କରିବ ନାହିଁ ବୋଲି ଜଣାପଡିଛି | ଅନ୍ୟପଟେ ବହୁ ଚର୍ଚ୍ଚିତ ଦିଲ୍ଲୀ ଅଧ୍ୟାଦେଶ ବିଲ୍ କୁ ବିଜେଡି ସମର୍ଥନ କରିବ | ଅର୍ଥାତ ବାରମ୍ବାର କଂଗ୍ରେସ ଓ ବିଜେପି ଠାରୁ ସମ ଦୂରତା କଥା କହୁଥିବା ବିଜେଡି ପୁଣି ଥରେ ଦିଲ୍ଲୀରେ ବିଜେପିକୁ ସମର୍ଥନ କରିବ |

ତେବେ ଉଭୟ ଅନାସ୍ଥା ପ୍ରସ୍ତାବ ଓ ଦିଲ୍ଲୀ ଅଧ୍ୟାଦେଶ ବିଲ୍ ପ୍ରସଙ୍ଗରେ ଓଡ଼ିଶାର ବିଜୁ ଜନତା ଦଳ ଓ ଆନ୍ଧ୍ର ପ୍ରଦେଶର YSR କଂଗ୍ରେସ କାହା ସପକ୍ଷରେ ଯାଉଛନ୍ତି ତାହାରି ଉପରେ ସମସ୍ତଙ୍କ ନଜର ରହିଥିଲା | ଆଉ ଉଭୟ ଦଳ କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛନ୍ତି | ଅନାସ୍ଥା ପ୍ରସ୍ତାବରେ ବିଜେପିକୁ କାହାରି ସହଯୋଗର ଆବଶ୍ୟକତା ନାହିଁ | କାରଣ ଲୋକସଭାରେ ବିଜେପିର ସଂଖ୍ୟା ଗରିଷ୍ଠତା ରହିଛି | ହେଲେ ଦିଲ୍ଲୀ ଅଧ୍ୟାଦେଶ ବିଲ୍ ପାରିତ କରିବାକୁ ରାଜ୍ୟସଭାରେ କେନ୍ଦ୍ର ସରକାରଙ୍କ ବହୁମତ ନଥିଲା | ଏବେ ଉଭୟ ବିଜେଡି ଓ YSR କଂଗ୍ରେସର ସମର୍ଥନ ପରେଲ, ଉଭୟ ଦଳର 9-9 ଜଣ ଲେଖାଏଁ ସାଂସଦ ରାଜ୍ୟ ସଭାରେ ଦିଲ୍ଲୀ ଅଧ୍ୟାଦେଶ ସମର୍ଥନରେ ଭୋଟ ଦେବେ | ଫଳରେ ଏବେ ଦିଲ୍ଲୀ ଅଧ୍ୟାଦେଶ ବିଲ ସଂସଦରେ ସହଜରେ ପାରିତ ହେବ |

ନିକଟରେ 26 ବିରୋଧୀ ଦଳ ଏକାଠି ହୋଇ ମୋଦି ସରକାରଙ୍କ ବିରୋଧରେ ଇଣ୍ଡିଆ ମେଣ୍ଟ ଗଠନ କରି ଥିଲେ | ଆଉ ଦିଲ୍ଲୀ ଅଧ୍ୟାଦେଶକୁ ରାଜ୍ୟ ସଭାରେ ପାରିତ କରାଇ ନଦେବା ଏହି ମେଣ୍ଟ ପାଇଁ ପ୍ରଥମ ପରୀକ୍ଷା ଥିଲା | କେନ୍ଦ୍ର ସରକାର ଏହି ବିଲ ପାରିତ କରିବାରେ ବିଫଳ ହୋଇଥିଲେ ସରକାରଙ୍କ ଉପରେ ଏହା ବିରୋଧୀଙ୍କ ଏକ ବଡ଼ ବିଜୟ ହୋଇଥାନ୍ତା | ହେଲେ ଏବେ ଦିଲ୍ଲୀ ଅଧ୍ୟାଦେଶ ବିଲ ପାରିତ ହେବା ନିଶ୍ଚିତ ହୋଇଛି |

ସେପଟେ ସବୁବେଳେ କଂଗ୍ରେସ ଓ ବିଜେପି ଠାରୁ ସମ ଦୂରତା କଥା କହୁଥିବା ବିଜେଡି ପୁଣି ବିଜେପିକୁ ସୁହାଇଲା ଭଳି ନିଷ୍ପତ୍ତି ନେଇଛି | ପୂର୍ବରୁ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ଠାରୁ ନେଇ ସଂସଦରେ ବହୁ ଗୁରୁତ୍ୱପୂର୍ଣ ପ୍ରସଙ୍ଗରେ ବିଜେଡି ବିଜେପି ପକ୍ଷରେ ହିଁ ଛିଡା ହୋଇଛି | ପୂର୍ବରୁ ବିଜେପି ଓ ବିଜେଡି ଏକାଠି ଥିବା ନେଇ କଂଗ୍ରେସ ଅଭିଯୋଗ ଆଣୁଥିବା ବେଳେ ଏବେ ପୁଣି ବିଜେଡି କେନ୍ଦ୍ର ସପକ୍ଷରେ ନିଷ୍ପତ୍ତି ନେବା ଆଗକୁ ରାଜ୍ୟ ରାଜନୀତିରେ କି ପ୍ରକାର ମାହୋଲ ସୃଷ୍ଟି କରୁଛି ତାହା ଦେଖିବାକୁ ବାକି ରହିଲା |

Related Posts