ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁଣି ଇତିହାସ ରଚିଛନ୍ତି ଭାରତର ଷ୍ଟାର୍ ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା । ଚଳିତ ବର୍ଷ ଜାଭେଲିନ୍ ଥ୍ରୋ’ରେ ସେ ଡାଏମଣ୍ଡ ଲିଗ୍ ଟାଇଟଲ ହାସଲ କରିଛନ୍ତି । ଭାରତର ପ୍ରଥମ ଆଥ୍ଲେଟ ଭାବେ ଏହି ଡାଏମଣ୍ଡ ଲିଗ୍ ଟାଇଟଲ ଜିତି ନୀରଜ ଏହି କିର୍ତ୍ତିମାନ୍ ନିଜ ନାମରେ କରିଛନ୍ତି। ଗୁରୁବାର ଅନୁଷ୍ଠିତ ଫାଇନାଲ୍ ରାଉଣ୍ଡ୍ରେ ନୀରଜ ୮୮.୪୪ ମିଟର ଦୂର ଜାଭେଲିନ୍ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଥିଲେ ।ଅନ୍ୟ କୌଣସି ପ୍ରତିଯୋଗୀ ତାଙ୍କ ନିକଟତର ମଧ୍ୟ ହୋଇପାରି ନଥିଲେ । ନୀରଜଙ୍କ ପ୍ରଥମ ପ୍ରୟାସ ଫାଉଲ ରହିଥିଲା । ପରବର୍ତ୍ତୀ ପ୍ରୟାସରେ ସେ ୮୮.୪୪ ମିଟର ଜାଭେଲିନ ଫିଙ୍ଗି ପ୍ରଥମ ସ୍ଥାନ ଅକ୍ତିଆର କରିଥିଲେ । ଏହାପରେ ସେ ଯଥାକ୍ରମେ ୮୮.୦୦ ମିଟର, ୮୬.୧୧ ମିଟର, ୮୭.୦୦ ଓ ୮୩.୬୦ ମିଟର ଦୂର ଜାଭେଲିନ୍ ଫିଙ୍ଗିଥିଲେ । ଚେକ ଗଣରାଜ୍ୟର ଜାକୁବ ଭାଲଡେଜ ସର୍ବାଧିକ ୮୬.୯୪ ମିଟର ଦୂର ଜାଭେଲିନ୍ ଫିଙ୍ଗି ଦ୍ୱିତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ । ସେହିପରି ଜର୍ମାନୀର ଜୁଲିଆନ ୱେବର ସର୍ବାଧିକ ୮୩.୭୩ ମିଟର ଦୂର ଜାଭେଲିନ୍ ଫିଙ୍ଗିଥିଲେ ।
ବିଶ୍ୱ ଚାମ୍ପିଅନସିପ୍ ଖେଳୁଥିବା ସମୟରେ ଆହତ ହେବା ପରେ ନୀରଜ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇପାରି ନଥିଲେ । ଏକ ମାସ ପରେ ପୁଣି ଫିଠ ହୋଇ ସେ ଗତ ଜୁଲାଇ ୨୬ ତାରିଖରେ ଲାଉସେନ ଡାଏମଣ୍ଡ ଲିଗ୍ରେ ଭାଗ ନେଇ ୮୯.୦୮ ମିଟର ଜାଭେଲିନ୍ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏଥିସହ ସେ ଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରିଥିଲେ । ପ୍ରଥମ ଭାରତୀୟ ଭାବେ ସେ ଡାଏମଣ୍ଡ ଲିଗ୍ର ମିଟ୍ ଟାଇଟଲ ହାସଲ କରିଛନ୍ତି । ପୂର୍ବରୁ ୨୦୧୭ ଓ ୨୦୧୮ ଡାଏମଣ୍ଡ ଲିଗ୍ ଫାଇନାଲ୍ରେ ପ୍ରବେଶ କରି ସେ ଯଥାକ୍ରମେ ସପ୍ତମ ଓ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ।





