ଭୁବନେଶ୍ୱର,୧୨/୪(ସତ୍ୟପାଠ ବ୍ୟୁରୋ): ଦେଶରେ ପୁଣି ବିରୋଧୀ ମେଣ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଏକଜୁଟ ହେଉଛନ୍ତି ବିରୋଧୀ । ବିରୋଧୀଙ୍କୁ ଏକଜୁଟ କରିବାକୁ ପୁଣି ପ୍ରୟାସ ଆରମ୍ଭ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଏବେ ଦିଲ୍ଲୀ ଗସ୍ତରେ ଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । ଏହି ଭେଟ ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ଉପସ୍ଥିତ ଥିଲେ । ଏଥିସହିତ କଂଗ୍ରେସ, ଆରଜେଡି ଏବଂ ଜେଡିୟୁର ବହୁ ବରିଷ୍ଠ ନେତା ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ । ଏହା ପୂର୍ବରୁ ମଙ୍ଗଳବାର ଦିନ ନୀତିଶ କୁମାର ଲାଲୁ ଯାଦବଙ୍କୁ ମଧ୍ୟ ଭେଟିଥିଲେ ।
୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ନୀତିଶଙ୍କ ଦିଲ୍ଲୀ ଗସ୍ତକୁ ନେଇ ଏବେ ଆଲୋଚନା ଜୋର ଧରିଛି । ନୀତିଶ କୁମାର ଲଗାତର ଭାବେ ବିଜେପି ବିରୋଧରେ ବିରୋଧୀ ଦଳମାନଙ୍କୁ ଏକାଠି କରିବାକୁ ପ୍ରୟାସ ଜାରି ରଖିଛନ୍ତି । ଏହା ପୂର୍ବରୁ ମଙ୍ଗଳବାର ଦିନ ନୀତିଶ କୁମାର ଲାଲୁ ଯାଦବଙ୍କ ଝିଅ ମୀଶା ଭାରତୀଙ୍କ ବାସଭବନକୁ ଯାଇ ସେଠାରେ ଲାଲୁ ଯାଦବଙ୍କୁ ଭେଟିଥିଲେ । ଲାଲୁଙ୍କ କିଡନୀ ଟ୍ରାନ୍ସପ୍ଲାଣ୍ଟ ପରେ ଏହା ଲାଲୁ ଓ ନୀତିଶଙ୍କ ମଧ୍ୟରେ ପ୍ରଥମ ସାକ୍ଷାତକାର । ଏହି ଭେଟ ବେଳେ ସାମ୍ପ୍ରତିକ ରାଜନୀତି ଉପରେ ଆଲୋଚନା ହୋଇଥିବା କଥା କୁହାଯାଉଛି । କେବଳ ସେତିକି ନୁହେଁ ବୁଧବାର ଦିନ ନୀତିଶ କୁମାର ତେଜସ୍ୱୀ ଯାଦବଙ୍କ ଘରକୁ ମଧ୍ୟ ଯାଇଥିଲେ । ସେଠାରେ ସେ ତେଜସ୍ୱୀଙ୍କ ଝିଅକୁ ଆର୍ଶିବାଦ ମଧ୍ୟ କରିଛନ୍ତି ।
ତେବେ ୨୦୨୪ ନିର୍ବାଚନ ପୂର୍ବରୁ ନୀତିଶଙ୍କର ଏହି ଭେଟଘାଟକୁ ନେଇ କିଛି ନୂଆ ସମୀକରଣର ସୂଚନା ମିଳୁଛି ବୋଲି କହିଛନ୍ତି ରାଜନୈତିକ ମହଲରେ ମତ ପ୍ରକାଶ ପାଉଛି । କାରଣ ନିର୍ବାଚନ ପୂର୍ବରୁ ନୀତିଶ ସବୁ ବିଜେପି ବିରୋଧୀଙ୍କୁ ଏକାଠି କରିବାକୁ ଚେଷ୍ଟା କରୁଛନ୍ତି । ସେଥିପାଇଁ ଅନୁମାନ କରାଯାଉଛି କି ନୀତିଶ କୁମାର ତାଙ୍କର ଏହି ଦିଲ୍ଲୀ ଗସ୍ତ ସମୟରେ ଅନ୍ୟ ବିରୋଧୀଦଳର ନେତାମାନଙ୍କ ସହ ଭେଟ କରିବେ । ତେବେ ଗତ ଫେବୃଆରୀ ମାସରେ ନୀତିଶ କୁମାର କହିଥିଲେ ଯେ, ଯଦି ବିରୋଧୀଦଳମାନେ ଏକଜୁଟ ହୋଇ ନିର୍ବାଚନ ଲଢିବେ ତେବେ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ୧୦୦ ଆସନ ମଧ୍ୟରେ ସୀମିତ ରହିଯିବ । ଏହା ପରଠାରୁ ନୀତିଶ ମୋଦି ବିରୋଧୀମାନଙ୍କୁ ଏକଜୁଟ କରିବାରେ ଲାଗିଛନ୍ତି।





