ଆଉ ହିଞ୍ଜିଳିରୁ ନିର୍ବାଚନ ଲଢିବେନି ନବୀନ!

ଭୁବନେଶ୍ୱର,୧୫/୧୦(ସତ୍ୟପାଠ ବ୍ୟୁରୋ):  ଏଥରର ନିର୍ବାଚନ ଫଳାଫଳ ଗଞ୍ଜାମ ଜିଲ୍ଲାରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ୨୪ବର୍ଷ ଧରି ବିଜେଡି କବ୍‌ଜାରେ ରହିଥିବା ଗଞ୍ଜାମ ଜିଲ୍ଲା ଏବେ ବିଜେପି ହାତକୁ ଯାଇଛି। ବିଜେଡିରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକମାତ୍ର ପ୍ରାର୍ଥୀ ଭାବେ ହିଞ୍ଜିଳିରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ବାକି ସବୁ ଆସନରେ ଚିତପଟାଙ୍ଗ ମାରିଛନ୍ତି ବିଜେଡି ପ୍ରାର୍ଥୀ । ତେବେ ସାଧାରଣ ନିର୍ବାଚନ ସରି ୫ ମାସ ସମୟ ଗଲାଣି। ବର୍ତ୍ତମାନ ନବନିର୍ବାଚିତ ବିଧାୟକ ନିଜ ନିଜର ନିର୍ବାଚନମଣ୍ଡଳୀରେ ବୈଠକ କରି ଲୋକଙ୍କ ସମସ୍ୟା ବୁଝୁଛନ୍ତି। କିନ୍ତୁ ନିରାଶ ହୋଇଛନ୍ତି ହିଞ୍ଜିଳିବାସୀ । ଏପର୍ଯ୍ୟନ୍ତ ନିଜ ନିର୍ବାଚନମଣ୍ଡଳୀରେ ନବୀନଙ୍କ ଦେଖା ମିଳି ନାହିଁ। ଗୋଟିଏ ପଟେ ନବୀନଙ୍କୁ ଜିତାଇ ହିଞ୍ଜିଳିବାସୀ ତାଙ୍କ ଇଜ୍ଜତ ରଖିଥିବା ବେଳେ, ଏବେ ଏକପ୍ରକାର ବିଧାୟକ ଛେଉଣ୍ଡ ହୋଇଯାଇଛନ୍ତି। 

ସେପଟେ ବିଜେଡିର କିଛି ନେତାଙ୍କୁ ନିଜ ପ୍ରତିନିଧି ନିଯୁକ୍ତ କରି ହିଞ୍ଜିଳିବାସୀଙ୍କ ଭାଗ୍ୟ ସେମାନଙ୍କ ହାତରେ ଛାଡିଦେଇଛନ୍ତି ନବୀନ | ତେଣୁ ଆଗକୁ ମଧ୍ୟ ନିଜ ବିଧାୟକ ନବୀନଙ୍କୁ ଦେଖିବା ହିଞ୍ଜିଳିବାସୀଙ୍କ ପାଇଁ ଏକ ପ୍ରକାର ସ୍ବପ୍ନ ହୋଇଯିବ ବୋଲି କୁହାଯାଉଛି। ସେପଟେ ବିଜେଡି ପକ୍ଷରୁ କୁହାଯାଉଛି ଯେ, ଆଗକୁ ନବୀନ ସାରା ରାଜ୍ୟ ବୁଲିବେ । ସବୁ ଜିଲ୍ଲା ଗସ୍ତ କରି ଲୋକଙ୍କ ସହ ମିଶିବେ । ଏଭଳି ସ୍ଥିତିରେ ସାରା ରାଜ୍ୟ ବୁଲିବାକୁ ବାହାରିଥିବା ନବୀନ ପ୍ରଥମେ ନିଜ ନିର୍ବାଚନମଣ୍ଡଳୀକୁ ଥରେ ଆସନ୍ତୁ ବୋଲି ଦାବି ଉଠିଛି । 

ସେପଟେ ନବୀନଙ୍କ ଗଡ଼ କୁହାଯାଉଥିବା ହିଞ୍ଜିଳିରେ ସେ ଥର ହାରୁ ହାରୁ ଜିତିଛନ୍ତି । ବିଜେପି ପ୍ରାର୍ଥୀ ଶିଶିର ମିଶ୍ରଙ୍କ ଠାରୁ ମାତ୍ର ୪୬୩୬ ଖଣ୍ଡ ଭୋଟ ଅଧିକ ପାଇଛନ୍ତି  ନବୀନ | ସେପଟେ ଗଂଜାମ ଜିଲ୍ଲାର ବାକି ସବୁ ଆସନରେ ବିଜେଡି ଶୋଚନୀୟ ପରାଜୟ ବରଣ କରିଛି   ଗଂଜାମ ଜିଲ୍ଲା ଏବେ ବିଜେପିର ଏକପ୍ରକାର ଗଡ଼ ହୋଇଥିବାରୁ ଏବେ ନବୀନ ହିଞ୍ଜିଳି ଆସନ ଛାଡିବାକୁ ଯୋଜନା କରୁଥିବା ମଧ୍ୟ କୁହାଯାଉଛି । ହିଞ୍ଜିଳିକୁ ଛାଡି ଏବେ ନିଜ ପାଇଁ ଏକ ସୁରକ୍ଷିତ ଆସନ ଖୋଜୁଛନ୍ତି ନବୀନ । ତେଣୁ ସେ ଏବେଠୁ ହିଞ୍ଜିଳିବାସୀଙ୍କୁ ସାଇଡ ମାରିବା ଆରମ୍ଭ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି ।

Related Posts