ମଣିଷକୁ ପଶୁ ଇଞ୍ଜେକ୍ସନ ଦେବା ମାମଲା; ନିଲମ୍ବିତ ହେଲେ ମହୁଲଡ଼ିହା ଥାନା ଏଏସଆଇ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୟୂରଭଞ୍ଜରେ ମଣିଷକୁ ପଶୁ ଇଞ୍ଜେକ୍ସନ ଦେବା ଘଟଣାକୁ ନେଇ ରାଜ୍ୟରେ ଚର୍ଚ୍ଚା ଥମିନଥିବାବେଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାର ସୂଚନା ମିଳିଛି । ତେବେ କ୍ୱାକ ବିଶ୍ବନାଥ ବେହେରାଙ୍କୁ ଲୋକେ ଜିମା ଦେବା ପରେ ପୁଲିସ ଛାଡ଼ିଦେଇଥିବା ଅଭିଯୋଗ ଆସିବାପରେ ମହୁଲଡ଼ିହା ଥାନା ଏଏସଆଇ ପବିତ୍ର ମୋହନ ରାଉତଙ୍କୁ ନିଲମ୍ବନ କରିଛନ୍ତି ଆରକ୍ଷୀ ଅଧୀକ୍ଷକ। ସେପଟେ ଅଣ୍ଟା ବ୍ୟଥା ଉପଶମ ପାଇଁ ମଣିଷଙ୍କୁ ପ୍ରାଣୀଙ୍କ ପାଇଁ ଉଦ୍ଦିଷ୍ଟ ଇଞ୍ଜେକସନ୍ ଦେଇଥିବା ନକଲି ଡାକ୍ତର (କ୍ବାକ୍) କେନ୍ଦୁଝର ଜିଲ୍ଲା ଆନନ୍ଦପୁର କଣ୍ଟିପାଳ ଗ୍ରାମର ବିଶ୍ବନାଥ ବେହେରା (୬୫)ଙ୍କୁ ଧରିବା ପାଇଁ ମୟୂରଭଞ୍ଜ ଜିଲ୍ଲା ମହୁଲଡ଼ିହା ଥାନା ପୁଲିସ ଧରପଗଡ଼ ଆରମ୍ଭ କରିଥିଲା।

ମହୁଲଡ଼ିହା ଗ୍ରାମର ଶ୍ରୀକାନ୍ତ ମହାନ୍ତଙ୍କ ଅଭିଯୋଗ ଆଧାରରେ ପୁଲିସ କେସ୍ ନଂ ୨୨/୨୨, ଆଇପିସି ୪୧୭, ୩୩୭, ୩୦୭ରେ ଏକ ମାମଲା ରୁଜୁ କରିଥିଲା। ବିଶ୍ବନାଥ ଫେରାର୍ ଥିବା ଥାନାଧିକାରୀ ରଞ୍ଜୁ ହାସିନ କୁଲୁ ସୂଚନା ଦେଇଛନ୍ତି। ତେବେ ଏହି ନକଲି ଡାକ୍ତରଙ୍କ ପାଖରେ ଚିକିତ୍ସିତ ହୋଇଥିବା ଗୌଡିଆବାହାଳୀ ଗ୍ରାମର ବୃଦ୍ଧ ଦୈତାରୀ ମହାନ୍ତ(୮୦)ଙ୍କ ଶରୀରରେ ୧୭ ତାରିଖ ଠାରୁ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇଛି। ରବିବାର ରାତିରେ ଜ୍ବର, ମୁଣ୍ଡ ବୁଲାଇବା ଓ ପତଳା ଝାଡ଼ା ହେବାରୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛ ।

Related Posts