ଭୁବନେଶ୍ୱର,୧୯/୪(ସତ୍ୟପାଠ ବ୍ୟୁରୋ): ସମ୍ବଲପୁରରେ ଶାନ୍ତି ଫେରୁଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ସ୍ୱାଭାବିକ ସ୍ଥିତି ଫେରୁଥିବାରୁ ଅଧିକ କୋହଳ ହୋଇଛି କର୍ଫ୍ୟୁ । ଆଜିଠାରୁ ଦିନରେ ଆଉ କଟକଣା ରହିବ ନାହିଁ । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି । କିନ୍ତୁ ନାଇଟ୍ କର୍ଫ୍ୟୁ ଜାରି ରହିବ । ଦିନରେ କର୍ଫ୍ୟୁ କୋହଳ କରାଯାଇଥିବାରୁ ଦୋକାନବଜାର ଖୋଲିଛି । ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ମାର୍କେଟରେ ଗହଳି ଦେଖିବାକୁ ମିଳିଛି । ଗୋବିନ୍ଦତୋଲା, ଗୋଲବଜାର, ଅଇଁଠାପାଲି , ବସଷ୍ଟାଣ୍ଡ ଆଦି ମାର୍କେଟ ସମ୍ପୂର୍ଣ ଖୋଲା ରହିଛି । ଜିଲ୍ଲାର ବିଭିନ୍ନ ସ୍ଥାନରୁ ବେପାରୀ ସେମାନଙ୍କ ଜିନିଷ କିଣାବିକା କରୁଛନ୍ତି ।
ଅନ୍ୟପଟେ ସମ୍ବଲପୁର ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ବଢ଼ିଛି ଇଣ୍ଟରନେଟ୍ ବନ୍ଦ ଅବଧି । ଆସନ୍ତାକାଲି ୧୦ଟା ଯାଏ ଇଣ୍ଟରନେଟ୍ ସେବା ବନ୍ଦ ରହିବ । କେବଳ ରେଢ଼ାଖୋଲ, ଜମନକିରା, କୁଚିଣ୍ଡା, ବାମରା, ଜୁଯୁମୁରା, ରେଙ୍ଗାଲି ଅଞ୍ଚଳରେ ଲିଜ ଲାଇନ ନେଇଥିବା ସଂସ୍ଥାମାନଙ୍କୁ ଇଣ୍ଟରନେଟ୍ ସେବା ପ୍ରଦାନ କରାଯାଇଛି l ଏନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।
ତେବେ ଦୀର୍ଘ ୬ ଦିନ ଧରି ସହରରେ ଲାଗିରହିଥିବା ଅଚଳାବସ୍ଥା ଦୂର ଓ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି । ବିିଭିନ୍ନ ବର୍ଗର ଲୋକଙ୍କ ସହ ବୈଠକରେ ଆଲୋଚନା କରିଛନ୍ତି ଜିଲ୍ଲାପାଳ । ୨୨ ତାରିଖରେ ଇଦ୍-ଉଲ୍-ଫିତର ପର୍ବ ଅନୁଷ୍ଠିତ ହେବ । ହନୁମାନ ଜୟନ୍ତୀରେ ଯେଉଁ ଅଘଟଣ ଘଟିଲା ଯେପରି ଏହାର ପୁନରାବୃତ୍ତି ନହେବ ସେଥିପାଇଁ ପ୍ରୟାସ ଜାରି ରହିଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।





