ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଖାରକିଭରୁ ଉଦ୍ଧାର ହେଲେ ଆଉ ୬୫ ଓଡିଆ ଛାତ୍ରଛାତ୍ରୀ । ସେପଟେ ଫସି ରହିଯାଇଥିବା ଆହୁରି ଅନେକ ଓଡିଆ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ତାଙ୍କର ଉଦ୍ୟମକୁ ଜୋରଦାର କରିଛନ୍ତି। ଖାରକିଭ୍ ଓ ପିସୋଚିନ୍ ଅଞ୍ଚଳରେ ଥିବା ଛାତ୍ରଛାତ୍ରୀ ଗତ ତିନି ଦିନ ଧରି ଅଟକି ରହି ଭୀଷଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ସେମାନଙ୍କ ମଧ୍ୟରୁ ୬୫ଜଣଙ୍କୁ ରାଜ୍ୟ ସରକାର ଦୁଇଟି ସ୍ୱତନ୍ତ୍ର ବସ୍ ଯୋଗେ ନିରାପଦ ଭାବେ ପଶ୍ଚିମ ୟୁକ୍ରେନ ସୀମାକୁ ଆଣିବା ପାଇଁ ସଫଳ ହୋଇଛନ୍ତି । ସେ ଅଞ୍ଚଳରେ ଥିବା ସବୁ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ବିମାନ ଯୋଗେ ଭାରତକୁ ଆଣିବା ପାଇଁ ପ୍ରକ୍ରିୟା ଜାରି ରହିଛି। ଅନ୍ୟପଟେ ଏପର୍ୟ୍ୟନ୍ତ ୧୯୯ ଛାତ୍ରଛାତ୍ରୀ ନିରାପଦରେ ଭାରତରେ ପହଞ୍ଚି ସାରିଛନ୍ତି । ସବୁ ଓଡ଼ିଆ ପିଲାଙ୍କୁ ନିରାପଦ ଭାବରେ ଉଦ୍ଧାର କରିବା ପାଇଁ ଓଡ଼ିଶା ସରକାର ଉଦ୍ୟମ ଜାରି ରଖିଛନ୍ତି ।





