ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଡ଼ିଶା ହାଇକୋର୍ଟ ପ୍ରତିଷ୍ଠାକୁ ୭୫ବର୍ଷ ପୂରଣ ହେଉଥିବା ବେଳେ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଏହି ଅବସରକୁ ସ୍ମରଣୀୟ କରିବା ପାଇଁ ପ୍ରଥମେ ଗୋଟିଏ ଦିନରେ ୭୫ ମାମଲାର ରାୟ ଦେବାପରେ ଏବେ ଏକ ଐତିହାସିକ ଘଟଣାକ୍ରମରେ ଓଡ଼ିଶା ହାଇକୋର୍ଟ ପକ୍ଷରୁ ଓଡ଼ିଆରେ ଏକ ମାମଲାର ରାୟ ପ୍ରକାଶ ପାଇଛି। ମଙ୍ଗଳବାର ଜଷ୍ଟିସ ଡକ୍ଟର ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡ଼ିଆ ଭାଷାରେ ଏକ ରିଟ୍ ଆବେଦନ (ଦେୱାନୀ)ର ରାୟ ପ୍ରକାଶ କରିଛନ୍ତି। ଜୁଲାଇ ୧୯ରେ ଖଣ୍ଡପୀଠ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିବା ବେଳେ ପ୍ରତିଷ୍ଠା ଦିବସର ପୂର୍ବଦିନ ଏହି ରାୟ ପ୍ରକାଶ କରିଛନ୍ତି। ଓଡ଼ିଆରେ ୪୧ ପୃଷ୍ଠାର ଏହି ରାୟ ହାଇକୋର୍ଟ ପ୍ରତିଷ୍ଠାର ୭୫ବର୍ଷ ପୂର୍ତ୍ତି ଉତ୍ସବକୁ ଚିର ସ୍ମରଣୀୟ କରି ରଖିବ।
ତେବେ ୨୦୨୩, ଫେବ୍ରୁଆରି ୩ରେ ରାଜ୍ୟର ୧୦ଟି ଜିଲ୍ଲାରେ ପ୍ରତିଷ୍ଠିତ ଭର୍ଚୁଆଲ ହାଇକୋର୍ଟ ଉଦଘାଟନ କରିବା ଅବସରରେ ଭର୍ଚୁଆଲ ବ୍ୟବସ୍ଥାରେ ଯୋଗ ଦେଇ ଭାରତର ପ୍ରଧାନ ବିଚାରପତି ଡକ୍ଟର ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ଓଡ଼ିଶା ହାଇକୋର୍ଟ ପକ୍ଷରୁ ଗ୍ରହଣ କରାଯାଇଥିବା ‘ଇ-ଇନିସିଏଟିଭ୍’ର ପ୍ରଶଂସା କରିଥିଲେ। ସୁପ୍ରିମକୋର୍ଟଙ୍କ ରାୟର ବିଭିନ୍ନ ଆଞ୍ଚଳିକ ଭାଷାରେ ଅନୁବାଦ ପାଇଁ ମାଡ୍ରାସ ଆଇଆଇଟି ସହଯୋଗରେ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ପ୍ରଧାନ ବିଚାରପତି କହିଥିଲେ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧରଙ୍କ ନେତୃତ୍ବରେ ଓଡ଼ିଶା ହାଇକୋର୍ଟ ଏହାର ରାୟର ଓଡ଼ିଆ ଅନୁବାଦ ପାଇଁ ବ୍ୟବସ୍ଥା ଗ୍ରହଣ କରିବେ ବୋଲି ପ୍ରଧାନ ବିଚାରପତି ଏହି ଅବସରରେ ଆଶା ପ୍ରକାଶ କରିଥିଲେ। ପ୍ରଧାନ ବିଚାରପତି କହିଥିବା କଥା ଆଜି କାର୍ଯ୍ୟକାରୀ ହୋଇଛି। ନ୍ୟାୟମୂର୍ତ୍ତି ଡକ୍ଟର ସଂଜୀବ କୁମାର ପାଣିଗ୍ରାହୀ ଓଡ଼ିଆ ଭାଷାରେ ହାଇକୋର୍ଟର ଏହି ପ୍ରଥମ ରାୟକୁ ପ୍ରକାଶ କରିଛନ୍ତି। ସାଧାରଣ ଲୋକ ଅନେକ ସମୟରେ ଅଦାଲତି ରାୟ ବୁଝି ପାରି ନଥାନ୍ତି। କିନ୍ତୁ ମାତୃଭାଷାରେ ରାୟ ପ୍ରକାଶ ପରେ ଏବେ ସାଧାରଣ ଲୋକ ସହଜରେ ଅଦାଲତି ରାୟକୁ ବୁଝି ପାରିବେ। ଏଥି ସହିତ ନ୍ୟାୟିକ ପ୍ରକ୍ରିୟା ସେମାନଙ୍କ ପାଇଁ ଅଡୁଆ ପାଠ ହୋଇ ରହିବ ନାହିଁ ବୋଲି ଆଶା କରାଯାଇଛି।
ମାମଲାର ବିବରଣୀରୁ ପ୍ରକାଶ ଯେ, ଦୁଇ ଓପିଇଏଲଇପି ପ୍ରକଳ୍ପ ଅର୍ଥାତ କନ୍ଧମାଳ ଜିଲ୍ଲାର କେକେଡିଏ, ବେଲଘର ଅଞ୍ଚଳ ଓ ସୁନ୍ଦରଗଡ଼ ଜିଲ୍ଲାର ପିବିଡିଏ, ଖୁଣ୍ଟାଗାଁ ଅଞ୍ଚଳରେ କାର୍ଯ୍ୟ କରିବା ପାଇଁ ପୂର୍ବରୁ ଯେଉଁ ନିୟମ ରହି ଆସିଥିଲା ତାହାକୁ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ରଦ୍ଦ କରାଯାଇଥିଲା। ବିଭାଗର ଯୁଗ୍ମ ସଚିବ ୨୦୨୨, ଅଗଷ୍ଟ ୨୩ର ଜାରି କରିଥିବା ଏହି ପତ୍ରକୁ ରଦ୍ଦ କରିବା ପାଇଁ ଖୋର୍ଦ୍ଧାର ସୌରଭ ଏନଜିଓ ପକ୍ଷରୁ ଏହି ମାମଲା ଦାୟର ହୋଇଥିଲା। କିନ୍ତୁ ଖଣ୍ଡପୀଠ ଏହି ମାମଲାକୁ ଖାରଜ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଓଡ଼ିଶା ହାଇକୋର୍ଟର ୭୫ ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବେ। ଏହି ଦିବସକୁ ସ୍ମରଣୀୟ କରିବା ପାଇଁ ସୋମବାର ହାଇକୋର୍ଟ ଆଉ ଏକ ଐତିହାସିକ ପଦକ୍ଷେପ ନେଇଥିଲେ। ହାଇକୋର୍ଟଙ୍କ ଏକ ଖଣ୍ଡପୀଠ ଗୋଟିଏ ଦିନରେ ୭୫ଟି ମାମଲାର ରାୟ ପ୍ରକାଶ କରିଥିଲେ। ବିଚାରପତି ଜଷ୍ଟିସ ଦେବବ୍ରତ ଦାଶ ଓ ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ସୋମବାର ୭୫ଟି ମାମଲାର ରାୟ ପ୍ରକାଶ କରିଥିଲେ।





