ଜେଲରୁ ମହାଠକ ସୁକେଶ ଚନ୍ଦ୍ରଶେଖରର ଆଉ ଏକ ଚିଠି, ବାହାନଗା ରେଳ ଦୁର୍ଘଟଣା ପୀଡିତ ପରିବାରଙ୍କୁ ୧୦ କୋଟି ସହାୟତା ଦେବାକୁ ମାଗିଲେ ଅନୁମତି

ଭୁବନେଶ୍ୱର,୧୬/୬(ସତ୍ୟପାଠ ବ୍ୟୁରୋ): ଜେଲରେ ବନ୍ଦ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣି ଏକ ଚିଠିଲେଖି ଚର୍ଚ୍ଚାକୁ ଆସିଛନ୍ତି । ଏପର୍ଯ୍ୟନ୍ତ ଜେଲରେ ଥାଇ ସୁକେଶ ଆମ୍ ଆଦାମୀ ପାର୍ଟି ଓ ଅରବିନ୍ଦ କେଜ୍ରିୱାଲଙ୍କୁ ନେଇ ଚିଠି ଲେଖି ନୂଆ ନୂଆ ଖୁଲାସା କରୁଥିବା ବେଳେ ଏବେ ଏକ ଚିଠି ରେଳ ବିଭାଗ ନାମରେ ଲେଖିଛନ୍ତି । ମଣ୍ଡୋଲୀ ଜେଲରେ ବନ୍ଦିଥିବା ସୁକେଶ ଏବେ ବାହାନଗାରେ ହୋଇଥିବା ରେଳ ଦୁର୍ଘଟଣାରେ ପୀଡିତ ଓ ମୃତକଙ୍କ ପରିବାରକୁ ୧୦ କୋଟି ଟଙ୍କା ସହାୟତା ଦେବାକୁ ଇଚ୍ଛା କରିଛନ୍ତି । ଏଥିପାଇଁ ସେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଅନୁମତି ମାଗିଛନ୍ତି।

ଏହି ଟଙ୍କା ନିଜ ରୋଜଗାରରୁ ନିଜ ପାଣ୍ଠୀରେ ଦେବାକୁ ଚାହେଁ ବୋଲି ସୁକେଶ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ରେଳ ଦୁର୍ଘଟଣାରେ ଯେଉଁ ପିଲାମାନେ ଅନାଥ ହୋଇଗଲେ ସେମାନଙ୍କ ପାଠପଢାରେ ଏହି ଟଙ୍କା ଖର୍ଚ୍ଚ କରିବାକୁ କହିଛି ସୁକେଶ। ଦୁର୍ଭାଗ୍ୟ ବଶତଃ ରେଳ ଘଟଣା ଘଟିଲା। ଯାହା ତାଙ୍କୁ ଗଭୀର ଦୁଃଖ ଦେଇଛି। ସମସ୍ତ ଭାଇ ଭଉଣୀଙ୍କ ପରିବାର ପ୍ରତି ହୃଦୟରୁ ସମବେଦନା ଜଣାଇଛନ୍ତି ସୁକେଶ।

ସହଯୋଗ ଘୋଷଣା କରି ସୁକେଶ ଚିଠିରେ ଲେଖିଛି ‘ପୂର୍ବରୁ ସରକାର ପ୍ରଭାବିତଙ୍କୁ ସମସ୍ତ ସହଯୋଗ ଯୋଗାଉଥିବା ବେଳେ ମୁଁ ଜଣେ ଦାୟିତ୍ୱସମ୍ପନ୍ନ ଓ ଉତ୍ତମ ନାଗରିକ ହିସାବରେ ୧୦ କୋଟି ସହଯୋଗ କରିବାକୁ ଚାହୁଁଛି। ବିଶେଷ କରି ଏହି ଟଙ୍କା ଦୁର୍ଘଟଣାରେ ଯେଉଁ ପରିବାର ଏକମାତ୍ର ରୋଜଗାରିଆଙ୍କୁ ହରାଇଲେ ସେମାନଙ୍କ ପିଲାମାନଙ୍କ ପାଠପଡ଼ାରେ ଖର୍ଚ୍ଚରେ ଲାଗିବ। ସେ ବିଦ୍ୟାଳୟ ହେଉ, ଉଚ୍ଚ ବିଦ୍ୟାଳୟ କିମ୍ବା କଲେଜ ଶିକ୍ଷା ପାଇଁ ଏହି ରାଶି ମୃତ ବ୍ୟକ୍ତିଙ୍କ ପ୍ରତ୍ୟେକ ପିଲାଙ୍କର ଶିକ୍ଷାରେ ଖର୍ଚ୍ଚ ହେଉ।’

ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସରକାର କରିଥିବା ସମସ୍ତ କାର୍ଯ୍ୟାକୁ ସୁକେଶ ପ୍ରଶଂସା କରିଛି। ଏଥିସହିତ ସୁକେଶର ସଂସ୍ଥା- ଶ୍ରଦ୍ଧା ଫାଉଣ୍ଡେସନ, ଚନ୍ଦ୍ରଶେଖର କ୍ୟାନସର ଫାଉଣ୍ଡେସନ, ଏଲ୍‌ଏସ୍ ଏଜୁକେସନ ଦକ୍ଷିଣ ଭାରତରେ ବିଭିନ୍ନ ସମସ୍ୟାର ଆର୍ଥିକ ସହାୟତା ଘୋଷଣା କରିଛି ବୋଲି ସେ ଚିଠିରେ କହିଛନ୍ତି।

ସୂଚନା ଥାଉକି ସୁକେଶ ନାଁରେ ଏକାଧିକ ଠକେଇ ମାମଲା ରହିଛି। କେତେକ ରାଜନେତା, ବ୍ୟବସାୟୀଙ୍କୁ ଚୂନ ଲଗାଇ ବର୍ତ୍ତମାନ ଜେଲ୍‌ରେ ଅଛି ସୁକେଶ। ଔଷଧ କମ୍ପାନୀ ରାନବାକ୍ସୀର ପୂର୍ବତନ ମାଲିକ ଶିବିନ୍ଦର ମୋହନ ସିଂହଙ୍କ ପତ୍ନୀ ଅଦିତି ସିଂହଙ୍କ ଠାରୁ ୨୦୦ କୋଟି ଠକିଛି। ଏହି ମାମଲାର ସୁକେଶ ବିରୋଧରେ ମାମଲା ରୁଜୁ କରିଛି ଇଡି। ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍‌ଲୀନ ଫର୍ଣ୍ଣାଣ୍ଡିଜ୍ ମଧ୍ୟ ଠକେଇ ମାମଲା ଇଡିର ତଦନ୍ତ ପରିସର ଭୁକ୍ତ ଅଛନ୍ତି। ଠକେଇ ମାମଲାରେ ଉଭୟ ଚନ୍ଦ୍ର ଶେଖର ଓ ପତ୍ନୀ ଲୀନା ମାରିଆ ପଲଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ।

ସୂଚନା ଥାଉକି ଜୁନ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ୱର ବାହାନଗା ଠାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ହୋଇଥିଲା। ଏଥିରେ ମୃତ୍ୟୁ ସଂଖ୍ୟା ୨୯୦କୁ ବୃଦ୍ଧି ପାଇଛି। ପ୍ରଥମେ ୨୮୮ ମୃତ୍ୟୁ ହୋଇଥିବା କୁହାଯାଇଥିବା ବେଳେ କଟକ ଏସ୍‌ସିବିରେ ଚିକିତ୍ସିତ ଅବସ୍ଥାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଫଳରେ ମୃତ୍ୟୁ ସଂଖ୍ୟା ୨୯୦କୁ ବୃଦ୍ଧି ପାଇଛି।

Related Posts