ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଟି-୨୦ ବିଶ୍ବକପ ପୂର୍ବରୁ ଟିମ୍ ଇଣ୍ଡିଆକୁ ପୁଣି ଏକ ଝଟକା ଲାଗିଛି। ଦଳର ଦ୍ରୁତ ବୋଲର ଦୀପକ ଚହର ଆହତ ହୋଇଥିବାରୁ ତାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳାର ଅବଶିଷ୍ଟ ଦୁଇଟି ମ୍ୟାଚ୍ରୁ ବାଦ୍ ଦିଆଯାଇଥିଲା। ଏବେ ତାଙ୍କର ପିଠିରେ ଆଘାତ ଲାଗିବା କାରଣରୁ ଦୀପକ ଚହର ଟି-୨୦ ବିଶ୍ବକପରେ ମଧ୍ୟ ଖେଳିପାରିବେ ନାହିଁ ବୋଲି ଜଣାପଡ଼ିଛି। କିଛି ଦିନ ପରେ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ବକପରୁ ଚହରଙ୍କୁ ବାଦ ଦିଆଯାଇଛି। ତେବେ ପ୍ରଥମେ ଅଲରାଉଣ୍ଡର ଜାଡେଜା ଓ ଦୃତ୍ ବୋଲର ଜସପ୍ରୀତ ବୁମରା ଦଳରୁ ବାଦ୍ ପଡ଼ିବା ପରେ ଚହରଙ୍କ ରୂପରେ ଦଳକୁ ତୃତୀୟ ଝଟକା ଲାଗିଛି।
ଅନ୍ୟପକ୍ଷରେ ଟି-୨୦ ବିଶ୍ୱକପ୍ରେ କେଉଁ ଦ୍ରୁତ ବୋଲର ଆହତ ଜସପ୍ରୀତ ବୁମରାଙ୍କ ସ୍ଥାନ କିଏ ନେବେ ସେନେଇ ଏକ ନୂଆ ରିପୋର୍ଟ ସାମ୍ନାକୁ ଆସିଛି। ମହମ୍ମଦ ଶାମି ତାଙ୍କର ଫିଟନେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେ ବର୍ତ୍ତମାନ ଅଷ୍ଟ୍ରେଲିଆ ଯିବାକୁ ପ୍ରସ୍ତୁତ ଅଛନ୍ତି। ଅନ୍ୟପକ୍ଷରେ ଶାମିଙ୍କ ବ୍ୟତୀତ ମହମ୍ମଦ ସିରାଜ ଏବଂ ଶାର୍ଦ୍ଦୁଲ ଠାକୁରଙ୍କୁ ମଧ୍ୟ ଅଷ୍ଟ୍ରେଲିଆ ପଠାଯାଉଛି। ଏଭଳି ପରିସ୍ଥିତିରେ, ବୁମରାଙ୍କ ସ୍ଥାନରେ କିଏ ଟି-୨୦ ବିଶ୍ବକପ ଖେଳିବ, ତାହା କିଛି ଦିନ ପରେ ଜଣାପଡ଼ିବ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଶାମି, ସିରାଜ ଏବଂ ଶାର୍ଦ୍ଦୁଲ ଅକ୍ଟୋବର ୧୩ରେ ଭାରତରୁ ଅଷ୍ଟ୍ରେଲିଆକୁ ଉଡାଣ କରିବେ।
ତେବେ ଟି-୨୦ ବିଶ୍ୱକପ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ପାକିସ୍ତାନ ବିପକ୍ଷରେ ଭାରତୀୟ ଦଳ ଏହାର ପ୍ରଥମ ମ୍ୟାଚ୍ ଖେଳିବ। ଅକ୍ଟୋବର ୨୩ ତାରିଖ ଦିନ ଏହି ମ୍ୟାଚ ଖେଳାଯିବ। ଏହା ପୂର୍ବରୁ ଟିମ୍ ଇଣ୍ଡିଆ ମଧ୍ୟ ଏକ ୱାର୍ମ ଅପ୍ ମ୍ୟାଚ୍ ଖେଳିବ। ଭାରତୀୟ ଦଳ ସେହି ଅଭ୍ୟାସ ମ୍ୟାଚ୍ ଯଥାକ୍ରମେ ଅକ୍ଟୋବର ୧୭ ଏବଂ ୧୯ରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିବ।





