ଭୁବନେଶ୍ୱର,(ସତ୍ୟପାଠ ବ୍ୟୁରୋ): କଟକବାସୀଙ୍କ ପାଇଁ ଖୁସି ଖବର । ବିଶ୍ଵପ୍ରସିଦ୍ଧ କଟକର ରୂପା ତାରକସି କାମକୁ ମିଳିଲା ଜିଆଇ ମାନ୍ୟତା । ଚେନ୍ନାଇ ଭିତ୍ତିକ ଜିଓଗ୍ରାଫିକାଲ ଇଣ୍ଡିକେସନ ରେଜିଷ୍ଟ୍ରିରୁ ଏହି ସୂଚନା ମିଳିଛି । ଏହାକୁ ମିଶାଇ ବର୍ତ୍ତମାନ ଓଡିଶାର ଜିଆଇ ତାଲିକା ୨୬କୁ ବୃଦ୍ଧି ପାଇଛି ।
୨୦୨୧ ମସିହା ଜୁଲାଇ ୭ତାରିଖରେ ଓଡିଶା ହସ୍ତକଳା ସମବାୟ ସମିତି ତରଫରୁ ରୁପା ତାରକସିକୁ ଜିଆଇ ମାନ୍ୟତା ଦେବା ପାଇଁ ଆବେଦନ ହୋଇଥିଲା ।ଆବେଦନକୁ ବିଚାରକୁ ନେଇ କଟକ ତାରକସିର ଇତିହାସ ଏବଂ ବର୍ତ୍ତମାନର ସ୍ଥିତି ସମୀକ୍ଷା କରିବାକୁ ଏକ କନସଲଟାନ୍ସି ଫାର୍ମକୁ ଏହି ଦାୟିତ୍ଵ ଦିଆଯାଇଥିଲା । ଫାର୍ମର ସୁପାରିଶ କ୍ରମେ ତାମିଲନାଡୁର ଜିଆଇ ରେଜିଷ୍ଟ୍ରେସନ୍ ଉତ୍ପାଦର ନୋଡାଲ୍ ଅଫିସର୍ ପି.ସଞ୍ଜୟ ଗାନ୍ଧୀ କଟକ ରୁପା ତାରକସି ସମ୍ପର୍କରେ ୧୧୧ ପୃଷ୍ଟାର ରିପୋର୍ଟ ଜିଆଇ ରେଜିଷ୍ଟାରଙ୍କ ନିକଟରେ ଦାଖଲ କରିଥିଲେ । ଯେଉଁଥିରେ କଟକ ତାରକସିର ଐତିହ୍ୟ ଓ କାରିଗରୀ ସମ୍ପର୍କରେ ବିସ୍ତୃତ ଉଲ୍ଲେଖ ରହିଥିଲା ।
ତାରକସି କାମ ଏକ ଭାରତୀୟ ଧାତୁକଳା । ଏହା ଓଡ଼ିଶାର କଟକରୁ ଆରମ୍ଭ ହୋଇଥିଲା । ବଣିଆମାନେ ମୁଖ୍ୟତଃ ରୂପାର ସୂକ୍ଷ୍ମ ତାରରେ ଅଳଙ୍କାର ଓ ଅନ୍ୟାନ୍ୟ ସାଜସଜ୍ଜା ସରଞ୍ଜାମ ତିଆରି କରିଥାନ୍ତି । ଏହା ୫୦୦ ବର୍ଷରୁ ଅଧିକ ପୁରୁଣା ଏକ ପାରମ୍ପରିକ କଳା ଯାହା କଟକ ଓ ଆଖ ପାଖର ସ୍ଥାନୀୟ କାରିଗରମାନେ ଅନେକ ପିଢ଼ି ଧରି କରିଆସୁଛନ୍ତି । ଅଧୁନା, ଅଧିକାଂଶ ରୂପା କାରିଗର କଟକର । ଅତୀତରେ ଓଡ଼ିଶାର ବିଦେଶ ବଣିଜ କାଳରେ ସାଧବମାନେ ଇଣ୍ଡୋନେସିଆ ଆହୁରି ଅନେକ ଦକ୍ଷିଣ ଏସିଆର ଦେଶସବୁକୁ ଏସବୁ ନେବା ବେଳରେ ଏହି କଳା ସମୃଦ୍ଧି ଲାଭ କରିଥିଲା ।
ପାରମ୍ପାରିକ ଭାବେ ତାରକସି କାମରେ ବ୍ୟବହାର ହେଉଥିବା ରୂପା ତାର ପାଇଁ ରୂପାକୁ ଅତି ପତଳା କଣା ଭିତରେ ପଶାଇ ଟାଣି ସରୁ ତାର ତିଆରି କରାଯାଇଥାଏ । ପରେ ବଣିଆମାନେ ଏହି ତାରକୁ ବ୍ୟବହାର କରି ଅଳଙ୍କାର ଆଦି ତିଆରି କରନ୍ତି । କଟକ ରୁପା ତାରକସିର ୩ ଭାଗରେ ନିର୍ମାଣ ଶୈଳୀ ରହିଛି । ତାହା ହେଲା ଫୁଲ, ଜାଲି ଓ ସିକୋ । ତାରକସି ନିର୍ମାଣ ଶୈଳୀରେ ପ୍ରାୟ ୩୨ ପ୍ରକାରର ଉପକରଣ ବ୍ୟବହାର କରାଯାଇ ଆସୁଛି । ତେବେ ମେସିନ ନିର୍ମିତ ଉତ୍ପାଦର ବଜାର ପ୍ରବେଶ ପରେ ହାତ ତିଆରି ତାରକସିର କାରବାର ହ୍ରାସ ପାଇଛି ।





