ଯାହା ହେଉ ଶେଷରେ ଗୁଲାମ ନବୀ ନିଜକୁ କଂଗ୍ରେସ ଠାରୁ ଆଜାଦ କରିଛନ୍ତି: ଜ୍ୟୋତିରାଦିତ୍ୟ ସିନ୍ଧିଆ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଶୁକ୍ରବାର କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେଇ ଦଳକୁ ଶକ୍ତ ଝଟକା ଦେଇଛନ୍ତି। ଏହାକୁ ନେଇ କଂଗ୍ରେସ ଛାଡି ଭାଜପାରେ ଯୋଗ ଦେଇଥିବା କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଶନିବାର ଦେଶର ସର୍ବ ପୁରାତନ ପାର୍ଟି କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି କଂଗ୍ରେସ ଭିତରେ ଏହି ରାଜନୈତିକ ଅସ୍ଥିରତା ପୂର୍ବରୁ ହେବାର ଥିଲା।ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଗୁଲାମ ନବୀ ଆଜାଦ କଂଗ୍ରେସ ଦଳ ସହିତ ତାଙ୍କର ୫୦ ବର୍ଷ ପୁରୁଣା ସମ୍ପର୍କ ସମାପ୍ତ କରିବାର ଗୋଟିଏ ଦିନ ପରେ କେନ୍ଦ୍ର ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି ନେତା ଜ୍ୟୋତିରାଦିତ୍ୟ କହିଛନ୍ତି ଯେ, ଯାହା ହେଉ ଶେଷରେ ଗୁଲାମ ନବୀ ମଧ୍ୟ ନିଜକୁ କଂଗ୍ରେସ ଠାରୁ ଆଜାଦ କରିଛନ୍ତି।

ତେବେ ୨୦୨୦ ରେ କଂଗ୍ରେସକୁ ବିଦାୟ ଦେବା ପରେ ଭାଜପାରେ ଯୋଗ ଦେଇଥିବା ସିନ୍ଧିଆ ଶନିବାର ଗ୍ବାଲିୟରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି, କଂଗ୍ରେସର ଆଭ୍ୟନ୍ତରୀଣ ସ୍ଥିତି ବର୍ତ୍ତମାନ କ’ଣ ତାହା ପୂର୍ବରୁ ଜଣାପଡୁଥିଲା ଏବଂ ଏବେ ମଧ୍ୟ ଏହି ଧାରା ଜାରି ରହିଛି। ମୁଁ ଭାରତୀୟ ଜନତା ପାର୍ଟିର ଜଣେ କର୍ମୀ ଏବଂ ମୁଁ ସକରାତ୍ମକ ଚିନ୍ତାଧାରା ଓ ଆଦର୍ଶ ସହିତ ବିକାଶ ତଥା ପ୍ରଗତି ସହିତ ଜଡିତ ଅଛି। କିନ୍ତୁ ନିଶ୍ଚିତ ଭାବରେ ଗୁଲାମ ନବୀ କଂଗ୍ରେସରୁ ନିଜକୁ ମୁକ୍ତ କରି ପାରିଛନ୍ତି। ଏହା ବେଶ୍‌ ଖୁସିର ବିଷୟ ବୋଲି ସିନ୍ଧିଆ ଗଣମାଧ୍ୟମକୁ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗୁଲାମ ନବୀ ଆଜାଦ ଗତକାଲି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଏହାସହିତ ନିଜ ଇସ୍ତଫା ପତ୍ରରେ ରାହୁଲ ଗାନ୍ଧୀଙ୍କର ପିଲାଳିଆମି ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ରାହୁଲ ଗାନ୍ଧୀ ଅନୁଭବହୀନ ଚାଟୁକାର ଲୋକଙ୍କୁ ନେଇ ଦଳ ଚଲାଉଥିବା ଆଜାଦ ଚିଠିରେ ଅଭିଯୋଗ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ସୋନିଆ ଦଳର ଅଧ୍ୟକ୍ଷ ଭାବେ କେବଳ ନାଁକୁ ମାତ୍ର ରହିଛନ୍ତି। ପ୍ରକୃତରେ ରାହୁଲ ଗାନ୍ଧୀ ଓ ତାଙ୍କର ବ୍ୟକ୍ତିଗତ ସାହାୟକ ଓ ସୁରକ୍ଷା କର୍ମୀମାନେ ଦଳ ବିଷୟରେ ନିଷ୍ପତ୍ତି ନେଉଛନ୍ତି ବୋଲି ଆଜାଦ କହିଥିଲେ। ଏହାପରେ କଂଗ୍ରେସ ତରଫରୁ ବିଭିନ୍ନ ନେତା ଆଜାଦ୍ ଙ୍କୁ ଟାର୍ଗେଟ କରି ଆସୁଛନ୍ତି।

Related Posts