ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସନ୍ତାକାଲି ବେଙ୍ଗାଲୁରୁରେ ହେବାକୁ ଥିବା ବିରୋଧୀ ଦଳଙ୍କ ବୈଠକରେ ଯୋଗଦେବ ଆମ ଆଦମୀ ପାର୍ଟି | ଦଳର ଗୁରୁତ୍ୱପୂର୍ଣ୍ଣ ପଲିଟିକାଲ ଆଫୟାର୍ସ କମିଟି (ପିଏସି) ବୈଠକ ପରେ ଦଳ ଏହି ନିଷ୍ପତ୍ତି ନେଇଛି |
ତେବେ ବିରୋଧୀ ବୈଠକରେ ଆପ ଯୋଗଦେବ କି ନାହିଁ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା | କଂଗ୍ରେସ ଯଦି ଦିଲ୍ଲୀରେ ପ୍ରଶାସନିକ ଅଧିକାରୀଙ୍କ ପୋଷ୍ଟିଂ ଓ ବଦଳି ନେଇ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ବିରୋଧ ନକରେ ତେବେ ବିରୋଧୀଙ୍କ ବୈଠକରେ ଯୋଗଦେବନାହିଁ ବୋଲି ଆପ କହିଥିଲା | ତେବେ ଆଜି କଂଗ୍ରେସ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ବିରୋଧ କରିବ ବୋଲି ଘୋଷଣା କରିବା ପରେ ଆପ ବିରୋଧୀ ବୈଠକକୁ ଯିବ କି ନାହିଁ ତାକୁ ନେଇ ଚର୍ଚ୍ଚା ଚାଲିଥିଲା |
ଏସବୁ ଭିତରେ ଆମ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ବସିଥିଲା ଦଳର ପଲିଟିକାଲ ଆଫୟାର୍ସ କମିଟି (ପିଏସି) ବୈଠକ | ଆଉ ଏହି ବୈଠକରେ ଦଳ ଆସନ୍ତାକାଲି ହେବାକୁ ଥିବା ବିରୋଧୀ ବୈଠକରେ ଯୋଗଦେବ ବୋଲି ନିଷ୍ପତ୍ତି ହୋଇଛି |
ଏନେଇ ସୂଚନା ଦେଇଛନ୍ତି ଆପ ସାଂସଦ ରାଘବ ଚଡ୍ଡା | ସେ କହିଛନ୍ତି ଯେ, ବେଙ୍ଗାଳୁରୁ ବୈଠକରେ ଯୋଗଦେବାକୁ ପିଏସି ବୈଠକରେ ନିଷ୍ପତ୍ତି ହୋଇଛି | ଆସନ୍ତାକାଲି ହେବାକୁ ଥିବା ବୈଠକରେ ଆପ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଓ ଦଳର ସାଂସଦ ସଞ୍ଜୟ ସିଂ ଯୋଗଦେବେ ବୋଲି ସେ ସୂଚନା ଦେଇଛନ୍ତି |





