ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନିଜର ତଦନ୍ତ ଜାରି ରଖିଛି । ଧୀରେ ଧୀରେ ଘଟଣାରେ ସଂପୃକ୍ତ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରି ଜେରା କରିବା ଆରମ୍ଭ କରିଛି। ଏହି କ୍ରମରେ ଆଜି ବ୍ୟବସାୟୀ ଗଙ୍ଗାଧର ସାମଲ ଇଡିରେ ହାଜର ହୋଇଥିବା ଜଣାଯାଇଛି। ଗଙ୍ଗାଧର ସାମଲ ଲାଣ୍ଡ ରୋଭର୍ ଗାଡ଼ି ସୋରୁମର ମାଲିକ ବୋଲି କୁହାଯାଉଛି। ସେ ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ଭାଇ ବୋଲି ବି ସୂଚନା ରହିଛି। ତେବେ ଗଙ୍ଗାଧର ଅର୍ଚ୍ଚନାଙ୍କ ସହ ୩୦ ଲକ୍ଷ ଟଙ୍କାର କାରବାର କରିଥିବା ସୂଚନା ମିଳିଛି। ଗଙ୍ଗାଧରଙ୍କର ଲାଣ୍ଡ ରୋଭର୍ ଗାଡ଼ି ସୋରୁମ ଥିବା ବେଳେ ଅର୍ଚ୍ଚନାଙ୍କର ସେହି କମ୍ପାନୀର ଗାଡ଼ି ହିଁ ନାହିଁ। ତେବେ କେଉଁ କାରଣରୁ ଏତେ ଟଙ୍କାର କାରବାର ହୋଇଥିଲା ତାହା ଜାଣିବାକୁ ଇଡି ଗଙ୍ଗାଧରଙ୍କୁ ଜେରା କରିବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ, ଅର୍ଚ୍ଚନା ନାଗ ମାମଲାରେ ଇଡିର ଜେରା ଜାରି ରହିଛି। ଏହି କ୍ରମରେ ଇଡି ବୁଧବାର ଦିନ ପ୍ରଥମେ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟ ସହ ସମ୍ପୃକ୍ତି ଥିବା ଅଭିଯୋଗରେ ହୋଟେଲ ବ୍ୟବସାୟୀ ଅମୀୟକାନ୍ତ ଦାସଙ୍କୁ ୭ଘଣ୍ଟା ଏବଂ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ୯ଘଣ୍ଟା କାଳ ଜେରା କରିଥିବା ବେଳେ ବୁଧବାର ପୁଣି ଅକ୍ଷୟଙ୍କୁ ଜେରା କରିଥିଲା। ଅକ୍ଷୟଙ୍କ ସମେତ ଦ୍ବିତୀୟ ଥର ପାଇଁ ରିମାଣ୍ଡରେ ଆସିଥିବା ଖଗେଶ୍ବର ପାତ୍ର ଏବଂ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଇଡି ମୁହାଁମୁହିଁ ଜେରା କରିଥିଲା।
ବୁଧବାର ସକାଳ ପ୍ରାୟ ୭ଟା ୪୦ ମିନିଟ୍ ବେଳେ ଶ୍ରଦ୍ଧାଞ୍ଜଳି ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ। ପରେ ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଅକ୍ଷୟ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପ୍ରଥମେ ସମସ୍ତଙ୍କୁ ଭିନ୍ନ ଭିନ୍ନ ରୁମ୍ରେ ଜେରା କରାଯାଇଥିଲା। ଏହାପରେ ଅକ୍ଷୟ, ଶ୍ରଦ୍ଧାଞ୍ଜଳି ଏବଂ ଖଗେଶ୍ବରଙ୍କୁ ମୁହାଁମୁହିଁ ଜେରା କରାଯାଇଥିଲା। ଶ୍ରଦ୍ଧାଞ୍ଜଳିଙ୍କ ପାଠପଢ଼ା ଠାରୁ ଆରମ୍ଭ କରି ଅର୍ଚ୍ଚନାଙ୍କ ସହ ସମ୍ପର୍କରେ ଆସିବା ପର୍ଯ୍ୟନ୍ତ ସବୁ ଦିଗ ଉପରେ ଇଡି ପଚରାଉଚରା କରିଥିଲା। ସେ କିଭଳି ଅର୍ଚ୍ଚନାଙ୍କ ସମ୍ପର୍କରେ ଆସିଲେ? କିଏ ତାଙ୍କୁ ଅର୍ଚ୍ଚନାଙ୍କ ସହ ମିଶାଇଥିଲା? ହନିଟ୍ରାପ୍ ପାଇଁ କିଏ ସହଯୋଗ କରିଥିଲେ? ଅକ୍ଷୟଙ୍କ ସହ ତାଙ୍କର କ’ଣ ସମ୍ପର୍କ? ଖଗେଶ୍ବର କିଭଳି ଅର୍ଚ୍ଚନାଙ୍କୁ ସହଯୋଗ କରୁଥିଲେ? ତାଙ୍କର ସେଠାରେ କ’ଣ ଭୂମିକା ଥିଲା? ସେହିପରି ଆଉ କେଉଁ ବଡ଼ବଡ଼ିଆ ତାଙ୍କ ସମ୍ପର୍କରେ ଆସିଥିଲେ? ଶ୍ରଦ୍ଧାଞ୍ଜଳିଙ୍କୁ ଏମିତି ପୁଳାପୁଳା ପ୍ରଶ୍ନ କରାଯାଇଥିଲା। ଏହା ଛଡ଼ା ତିନି ଜଣଙ୍କ ଆର୍ଥିକ କାରବାରକୁ ନେଇ ମଧ୍ୟ ଇଡି ଖୋଳତାଡ଼ କରିଥିଲା। ତିନି ଜଣଙ୍କୁ ସକାଳୁ ରାତି ପର୍ଯ୍ୟନ୍ତ ଏଭଳି ମୁହାଁମୁହିଁ କରି ମାରାଥନ ଜେରା କରିଛି ଇଡି। ଇଡିର ପ୍ରଶ୍ନବାଣରେ ତିନିଜଣଯାକ ଥଳକୂଳ ପାଇନଥିଲେ। ଏମିତିକି ଶ୍ରଦ୍ଧାଞ୍ଜଳି କାନ୍ଦି ପକାଇଥିଲେ ଏବଂ ସବୁ ସତ ଓଗାଳି ପକାଇଥିଲେ। ତିନିଜଣଙ୍କଠାରୁ ଇଡି ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାତେଇଛି।





