ଜୁଲାଇ ୩୧ ସୁଦ୍ଧା ପାଖାପାଖି ୮୮% ୨ ହଜାର ଟଙ୍କିଆ ନୋଟ୍ ଫେରିଆସିଛି: RBI

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଜୁଲାଇ ୩୧ ସୁଦ୍ଧା ପ୍ରାୟ ୮୮ ପ୍ରତିଶତ ୨ ହଜାର ଟଙ୍କିଆ ନୋଟ୍ ଫେରିଆସିଛି । ଏଗୁଡ଼ିକର ମୂଲ୍ୟ ପ୍ରାୟ ୩ ଲକ୍ଷ ୧୪ ହଜାର କୋଟି ଟଙ୍କା ବୋଲି ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି । ଏବେ କେବଳ ୪୨ ହଜାର କୋଟି ମୂଲ୍ୟର ୨ ହଜାର ଟଙ୍କିଆ ନୋଟ ଏବେ ପ୍ରଚଳନରେ ଅଛି । ଫେରସ୍ତ ଆସିଥିବା ୨ ହଜାର ଟଙ୍କିଆ ନୋଟର ୮୭ ପ୍ରତିଶତ ଜମା ଆକାରରେ ଆସିଥିବାବେଳେ ଅବଶିଷ୍ଠ ବଦଳ ଆକାରରେ ଆସିଥିଲା । ଅର୍ଥାତ୍ ଲୋକମାନେ ୨ ହଜାର ଟଙ୍କିଆ ନୋଟ ଦେଇ ତା’ବଦଳରେ ଅନ୍ୟ ମୂଲ୍ୟର ନୋଟ ନେଇଛନ୍ତି ।

ରିଜର୍ଭ ବ୍ୟାଙ୍କ ପକ୍ଷରୁ ମଙ୍ଗଳବାର କୁହାଯାଇଛି ଯେ, ମାର୍ଚ୍ଚ ୩୧ ସୁଦ୍ଧା ପ୍ରାୟ ୩ ଲକ୍ଷ ୬୨ ହଜାର କୋଟି ଟଙ୍କା ମୂଲ୍ୟର ୨ ହଜାର ଟଙ୍କିଆ ନୋଟ୍ ପ୍ରଚଳନ ଥିଲା । ମେ ୧୯ ତାରିଖ ସୁଦ୍ଧା ଏହା ୩ ଲକ୍ଷ ୫୬ ହଜାର କୋଟିକୁ କମିଆସିଥିଲା । ଜୁନ ୩୦ ସୁଦ୍ଧା ଏହା ଦ୍ରୁତ ଗତିରେ ହ୍ରାସ ପାଇ ୨ ଲକ୍ଷ ୬୨ ହଜାର କୋଟିକୁ କମିଆସିଥିଲା । ମେ ୧୯ ତାରିଖରେ ହିଁ ରିଜର୍ଭ ବ୍ୟାଙ୍କ ୨ ହଜାର ଟଙ୍କିଆ ନୋଟ୍ ଫେରସ୍ତ ପାଇଁ ଘୋଷଣା କରିଥିଲେ ଓ ଏଥିପାଇଁ ସେପ୍ଟେମ୍ବର ୩୦ ଶେଷ ତାରିଖ ରଖାଯାଇଛି । ଅର୍ଥାତ ସେପ୍ଟେମ୍ବର ୩୦ ସୁଦ୍ଧା ୨ ହଜାର ଟଙ୍କିଆ ନୋଟ ଫେରସ୍ତ କରିହେବ ।

Related Posts