ଭୁବନେଶ୍ୱର: ସଂସ୍କୃତି ଓ କଳା ଜଗତରେ ଏକ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ସଂସ୍କୃତି କଳା ପରିଷଦ ଓଡ଼ିଶାର ରାଜ୍ୟ ମୁଖ୍ୟ ଏବଂ ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ଡାକ୍ତର ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ପ୍ରତି ବିଜେଡ଼ି ରାଜ୍ୟ ଉପସଭାପତି ଡଃ ଲେଖାଶ୍ରୀ ସାମନ୍ତସିଂହାର କରିଥିବା ଅପଶବ୍ଦ ଓ ବିବାଦୀୟ ମନ୍ତବ୍ୟକୁ ନେଇ ରାଜ୍ୟର କଳାକାର ମଣ୍ଡଳୀରେ ଅସନ୍ତୋଷ ଚୂଡ଼ାନ୍ତରେ ପହଞ୍ଚିଛି।ଏହାକୁ ନେଇ ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂକୀର୍ତ୍ତନ ମଣ୍ଡଳୀ ଓ କଳାକାର ସଂଘର ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସଭାରେ ଉପସ୍ଥିତ ନେତୃତ୍ୱ ସ୍ପଷ୍ଟ କରିଛନ୍ତି ଯେ, ଆଗାମୀ ୩ ଦିନ ମଧ୍ୟରେ ଯଦି ଲେଖାଶ୍ରୀ ସାମନ୍ତସିଂହାର ତାଙ୍କ ମନ୍ତବ୍ୟ ପାଇଁ ସାର୍ବଜନୀନ ଭାବେ କ୍ଷମା ପ୍ରାର୍ଥନା ନ କରନ୍ତି, ତେବେ ଆଗାମୀ ରବିବାର ୨୯ ତାରିଖ ଦିନ ୧୨ଟା ସମୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାପକ ପ୍ରତିବାଦ ଆୟୋଜନ କରାଯିବ।ଏହି ପ୍ରତିବାଦରେ ସଂକୀର୍ତ୍ତନ ମଣ୍ଡଳୀ, କଳାକାର ସଂଘ ଓ ସାଂସ୍କୃତିକ ସଂଗଠନମାନେ ଝାଞ୍ଜ, ମୃଦଙ୍ଗ ଓ ନଦିଆ କୀର୍ତ୍ତନ ସହ ଅନନ୍ୟ ଶୈଳୀରେ ଆନ୍ଦୋଳନ କରିବେ ବୋଲି ସୂଚନା ମିଳିଛି।ଆଜିର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର ୩୦ଟି ଜିଲ୍ଲାରୁ ସଂକୀର୍ତ୍ତନ ମଣ୍ଡଳୀ ଓ କଳାକାର ସଂଘର ଜିଲ୍ଲା ସଭାପତିମାନେ ଏକାଠି ହୋଇ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ତୁରନ୍ତ କ୍ଷମା ମାଗିବାକୁ ଆହ୍ୱାନ ଜଣାଇଛନ୍ତି।ସେମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ସମୟ ସୀମା ମଧ୍ୟରେ କ୍ଷମା ପ୍ରାର୍ଥନା ନ କରାଯାଏ, ତେବେ ଏହି ପ୍ରତିବାଦ ଆହୁରି ତୀବ୍ର ଆକାର ନେବ ଓ ରାଜ୍ୟବ୍ୟାପୀ ଆନ୍ଦୋଳନରେ ପରିଣତ ହେବ।ସାଂସ୍କୃତିକ ମଣ୍ଡଳୀର ଏହି ଆନ୍ଦୋଳନ ରାଜନୈତିକ ମଞ୍ଚରେ ମଧ୍ୟ ନୂତନ ଚର୍ଚ୍ଚାକୁ ଜନ୍ମ ଦେଇଛି।





