ଅରୁଣ ଷଡ଼ଙ୍ଗୀଙ୍କୁ ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଓଡ଼ିଶାର ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀ। ଆଜି ତାଙ୍କୁ ରାଜ୍ୟ ସରକାର ପୁଲିସ୍‌ ମହାନିର୍ଦ୍ଦେଶ ଭାବେ ନିଯୁକ୍ତି ଦେଇଛନ୍ତି। ସେ ଏହି ପଦର ଅତିରିକ୍ତ ଦାୟିତ୍ୱରେ ରହିବେ। ନୂଆ ଡିଜିପି ନିଯୁକ୍ତ ହେବା ପର୍ଯ୍ୟନ୍ତ ସେ ଏହି ପଦର ଦାୟିତ୍ୱରେ ରହିବେ ବୋଲି ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ତେବେ ୧୯୯୦ ବ୍ୟାଚ୍‌ର ଆଇପିଏସ ଅଫିସର ଅରୁଣ ଷଡ଼ଙ୍ଗୀ ଏବେ ବିପିଏସପିଏର ନିର୍ଦ୍ଦେଶକ ରହିଛନ୍ତି। ତେଣୁ ବିପିଏସପିଏ ନିର୍ଦ୍ଦେଶ ସହ ସେ ପୁଲିସ୍‌ ବିଭାଗର ମୁଖ୍ୟ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

ସୂଚନାଯୋଗ୍ୟ ଯେ, ଆସନ୍ତା ଡିସେମ୍ବର ୩୧ତାରିଖରେ ବର୍ତ୍ତମାନର ପୁଲିସ ଡିଜି ସୁନୀଲ କୁମାର ବଂଶଲ ଚାକିରିରୁ ଅବସର ନେବେ। ତେଣୁ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଡିଜିପି ଭାବେ ଅରୁଣ ଷଡ଼ଙ୍ଗୀ ଶପଥ ନେବେ।

ସେପଟେ ପରବର୍ତ୍ତୀ ପୁଲିସ ଡିଜି ପଦବୀ ନିମନ୍ତେ ରାଜ୍ୟ ସରକାର ମୋଟ ୭ଜଣ ଆଇପିଏସ ଅଫିସରଙ୍କ ତାଲିକା ୟୁପିଏସସିଙ୍କୁ ସୁପାରିସ୍ କରିଛନ୍ତି । ୧୯୮୮ରୁ ୧୯୯୦ ବ୍ୟାଚ୍ ମଧ୍ୟରେ ଥିବା ମୋଟ ୮ଜଣ ଆଇପିଏସ ଅଫିସରଙ୍କ ମଧ୍ୟରୁ ୧୯୮୯ ବ୍ୟାଚର ଆଇପିଏସ୍ ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କୁ ବାଦ୍ ଦେଇ ଅନ୍ୟ ସମସ୍ତ ୭ଜଣଙ୍କ ନାମ ୟୁପିଏସସିକୁ ପଠାଯାଇଛି । ୧୯୮୮ ବ୍ୟାଚର ଅରୁଣ କୁମାର ରାୟ, ୧୯୮୯ ବ୍ୟାଚର ଏ.ଏମ୍‌.ପ୍ରସାଦ, ବି ରାଧିକା,ଏସଏମ୍ ନରୱଣେ ଏବଂ ୧୯୯୦ ବ୍ୟାଚର ୱାଇବି ଖୁରାନିଆ, ସୁଧାଂଶୁ ଷଡ଼ଙ୍ଗୀ ଓ ଅରୁଣ ଷଡ଼ଙ୍ଗୀଙ୍କ ନାଁ ରହିଛି।

Related Posts