ଭୁବନେଶ୍ଵର,୯/୩(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କ୍ୟାବିନେଟରୁ ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନ ଇସ୍ତଫା ଦେବାପରେ ଆଜି ନୂଆ ମନ୍ତ୍ରୀ ଭାବରେ ଆତିଶୀ ଏବଂ ସୌରଭ ଭରଦ୍ୱାଜ ଶପଥ ଗ୍ରହଣ କରିଛନ୍ତି। ସୌରଭ ଭରଦ୍ୱାଜଙ୍କୁ ସ୍ୱାସ୍ଥ୍ୟ, ସହରାଞ୍ଚଳ ବିକାଶ, ଜଳ ଏବଂ ଶିଳ୍ପ ପୋର୍ଟଫୋଲିଓ ଦାୟିତ୍ୱ ଦିଆଯାଇଥିବାବେଳେ ଆତିଶୀ ଶିକ୍ଷା, ପୁର୍ତ୍ତବିଭାଗ, ଶକ୍ତି ଏବଂ ପର୍ଯ୍ୟଟନ ବିଭାଗର ଦାୟିତ୍ୱ ଗ୍ରହଣ କରିଛନ୍ତି। ଦ୍ୱିତୀୟ ଥର ପାଇଁ ସୌରଭ ଦିଲ୍ଲୀ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ୨୦୧୩ରେ ଆପ୍ ନେତୃତ୍ୱାଧୀନ ଦିଲ୍ଲୀ ସରକାରରେ ପରିବହନ ମନ୍ତ୍ରୀ ଥିଲେ। ଏହି ସମୟରେ ଆତିଶ ମନୀଷ ସିସୋଦିଆଙ୍କ ଅଧୀନରେ ଶିକ୍ଷା ବିଭାଗର ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ।
ସୂଚନାଯୋଗ୍ୟ ଯେ, ଦିଲ୍ଲୀ କ୍ୟାବିନେଟରେ ଦୁଇଜଣ ମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନ ଦୁର୍ନୀତି ମାମଲାରା ଗିରଫ ହୋଇ ଜେଲ ଯାଇଥିବାରୁ ଉଭୟ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ। ଉଭୟଙ୍କ ଇସ୍ତଫା ପରେ ଦୁଇଟି କ୍ୟାବିନେଟ ପଦବୀ ଖାଲି ପଡ଼ିଥିଲା। ଦିଲ୍ଲୀ ସରକାରରେ ମୋଟ୍ ୬ ଜଣ ମନ୍ତ୍ରୀ ଥିଲେ । ସିସୋଦିଆଙ୍କ ପାଖରେ ଏକାକୀ ୧୮ଟି ବିଭାଗ ଥିଲା । ଏପରି ସ୍ଥିତିରେ ସିସୋଦିଆ ଜେଲରେ ରହିଥିବା ବେଳେ ସରକାର କିପରି ଚାଲିବ ତାହା କେଜ୍ରିୱାଲଙ୍କ ଚିନ୍ତା ବଢାଇଥିଲା । ଏବେ ସେମାନଙ୍କ ସ୍ଥାନରେ ଦୁଇ ଜଣ ନୂତନ ମନ୍ତ୍ରୀଙ୍କୁ ଦାଇତ୍ୱ ମିଳିଛି ।





