ଜ୍ଞାନବାପୀ ମସଜିଦରେ ଜାରି ରହିବ ASI ସର୍ଭେ, ମୁସଲିମ୍‌ ପକ୍ଷଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ

ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ଜ୍ଞାନବାପୀ ମସଜିଦ୍ ମାମଲାରେ ମୁସଲିମ୍‌ ପକ୍ଷକୁ ଝଟକା। ବାରଣାସୀର ଜ୍ଞାନବାପୀ ମସଜିଦକୁ ନେଇ ଆଜି ଆହ୍ଲାବାଦ ହାଇକୋର୍ଟ ଏକ ବଡ ରାୟ ଶୁଣାଇଛନ୍ତି। ଆହ୍ଲାବାଦ ହାଇକୋର୍ଟ ମାମଲାର ଶୁଣାଣି କରି ମୁସଲମାନ ପକ୍ଷରୁ କରାଯାଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି। ଆର୍କୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ବା ଏଏସଆଇ ମସଜିଦ ପରିସରର ବୈଜ୍ଞାନିକ ସର୍ଭେ ଜାରି ରଖିବ।

କୋର୍ଟ ଅଞ୍ଜୁମନ ଇନ୍ତଜାମିଆ ମସଜିଦ କମିଟିର ଆବେଦନକୁ ଖାରଜ କରି ମସଜିଦରେ ଏଏସଆଇ ସର୍ଭେକୁ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୨୧ରେ ବାରାଣାସୀ ଜିଲ୍ଲା ଜଜ୍ ଜ୍ଞାନବାପୀର ଏଏସଆଇ ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହାକୁ ବିରୋଧ କରି ମୁସଲିମ ପକ୍ଷ ପ୍ରଥମେ ସୁପ୍ରିମକୋର୍ଟରେ ଏବଂ ପରେ ହାଇକୋର୍ଟରେ ଏଏସଆଇ ସର୍ଭେ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ମୁସଲିମ ପକ୍ଷ ଆବେଦନ କରିଥିଲା ଯେ, ଏହି ସର୍ଭେ ଢାଞ୍ଚାରେ କ୍ଷତି ପହଞ୍ଚାଇବ। ତେଣୁ ଜ୍ଞାନବ୍ୟାପୀ ମସଜିଦ ମାମଲାରେ ସର୍ଭେ ଦାୟିତ୍ୱ ଏଏସଆଇକୁ ଦିଆନଯାଉ।

ଏହା ପରେ ଏଏସଆଇ ପକ୍ଷରୁ ଏକ ଆଫିଡେଭିଟ ଦାଖଲ କରାଯାଇଥିଲା। ସର୍ଭେରୁ ମସଜିଦକୁ କୌଣସି କ୍ଷତି ପହଞ୍ଚିବ ନାହିଁ ବୋଲି ଶୁଣାଣି ସମୟରେ ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଏକ ପ୍ରମାଣପତ୍ର ଦେଇଛି। ଏବେ ଏହାର ଶୁଣାଣି ହୋଇ ରାୟ ଶୁଣାଇଛନ୍ତି ଆହ୍ଲାବାଦ ହାଇକୋର୍ଟ। କୋର୍ଟଙ୍କ ନିଷ୍ପତ୍ତି ପରେ ଜ୍ଞାନବ୍ୟାପୀ କ୍ୟାମ୍ପସର ଏଏସଆଇ ସର୍ଭେ ଯେକୌଣସି ସମୟରେ ଆରମ୍ଭ ହୋଇପାରିବ। ହିନ୍ଦୁ ପକ୍ଷର ପରାମର୍ଶଦାତାଙ୍କ ଅନୁଯାୟୀ, ଯେକୌଣସି ପର୍ଯ୍ୟାୟରେ ଏହି ସର୍ଭେ ଆରମ୍ଭ ହୋଇପାରିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Related Posts