କଡା ସୁରକ୍ଷା ବ୍ୟବସ୍ଥା ଭିତରେ ଜ୍ଞାନବ୍ୟାପୀ ମସଜିଦ ସର୍ଭେ ଆରମ୍ଭ କଲା ଏଏସଆଇ ଟିମ୍, ଉଭୟ ହିନ୍ଦୁ ଓ ମୁସଲିମ ପକ୍ଷ ଉପସ୍ଥିତ

ଭୁବନେଶ୍ଵର(ସତ୍ୟପାଠ ବ୍ୟୁରୋ): ବାରଣାସୀରେ ଥିବା ଜ୍ଞାନବ୍ୟାପୀ ମସଜିଦ ପରିସରରେ ସର୍ଭେ ଆରମ୍ଭ ହୋଇଛି । ଆଜି ସକାଳ ୭ଟାରୁ ଏଏସଆଇ ଟିମ୍ ଦ୍ବାରା ଜ୍ଞାନବ୍ୟାପୀ ମସଜିଦ ପରିସରରେ ସାଇଣ୍ଟିଫିକ ସର୍ଭେ ଆରମ୍ଭ ହୋଇଛି ।ସର୍ଭେ ପାଇଁ ଗତ ୨୧ ତାରିଖରେ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ମନ୍ଦିର ଉପରେ ମସଜିଦ ନିର୍ମାଣ ହୋଇଛି କି ନାହିଁ ତାହା ଜାଣିବାକୁ ସର୍ଭେ ଆରମ୍ଭ ହୋଇଛି । କାଶୀ ବିଶ୍ବନାଥ ମନ୍ଦିର ପାଖରେ ରହିଛି ଜ୍ଞାନବ୍ୟାପୀ ମସଜିଦ । ସର୍ଭେ ନେଇ ଉତ୍ତରପ୍ରଦେଶ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଗତ ୨୧ ତାରିଖରେ ଜ୍ଞାନବ୍ୟାପୀ ପରିସରରେ ସର୍ଭେ ନେଇ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଏନେଇ ଆଜି(ସୋମବାର) ସକାଳୁ ମସଜିଦ ପରିସରରେ ସାଇଣ୍ଟିଫିକ ସର୍ଭେ ଆରମ୍ଭ ହୋଇଛି । ପ୍ରାୟ ୪୦ ଜଣିଆ ଏଏସଆଇ ଟିମ୍ ଦ୍ବାରା ସାଇଣ୍ଟିଫିକ ସର୍ଭେ ହେଉଛି । ଅଗଷ୍ଟ ୪ ତାରିଖରେ ବାରଣାସୀ କୋର୍ଟରେ ଏଏସଆଇ ସର୍ଭେ ରିପୋର୍ଟ ଦାଖଲ କରିବ । ସର୍ଭେରେ ଉଭୟ ହିନ୍ଦୁ ଓ ମୁସଲିମ ପକ୍ଷ ଉପସ୍ଥିତ ରହିଛନ୍ତି । କୌଣସି ଅପ୍ରତିକର ପରିସ୍ଥିତି ସୃଷ୍ଟି ନହେଉ ସେ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ସର୍ଭେ ନେଇ ଏଏସଆଇ GPR (Ground Penetrating Radar) ବ୍ୟବହାର କରିଛି ।

ଗତକାଲି (ରବିବାର) ରାତିରେ ଲଗାତାର ପୋଲିସ କମିଶନର, ବାରଣାସୀ ଜିଲ୍ଲା ଅଧିକାରୀ ଏବଂ ଅନ୍ୟ ଅଧିକାରୀଙ୍କ ଛଡା ହିନ୍ଦୁ ଓ ମୁସଲିମ ପକ୍ଷଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲେ । ସକାଳ 7ଟାରୁ ସର୍ଭେ ଆରମ୍ଭ କରାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିଲା । ଏଏସଆଇ ଟିମ ବାରଣାସୀରେ ପହଞ୍ଚି ସକାଳ କାଶୀ ବିଶ୍ବାନାଥ ମନ୍ଦିର ପାଖରେ ଥିଲା ଜ୍ଞାନବ୍ୟାପୀ ମନ୍ଦିରରେ ସାଇଣ୍ଟିଫିକ ସର୍ଭେ ଆରମ୍ଭ କରିଛି । 40 ଜଣିଆ ଏଏସଆଇ ଟିମ୍ ସର୍ଭେ କରିଛନ୍ତି ।

ଜ୍ଞାନବ୍ୟାପୀ ମସଜିଦ ମାମଲାରେ ପିଟିସନ ଦାୟର କରିଥିବା ସୋହନା ଲାଲ ଆରୟା କହିଛନ୍ତି,”ଏହା ହିନ୍ଦୁଙ୍କ ପାଇଁ ବହୁତ ଭଲ ମୁହୂର୍ତ୍ତ । ହିନ୍ଦୁ ସମ୍ପ୍ରଦାୟ ଏବଂ ସମଗ୍ର ହିନ୍ଦୁଙ୍କ ପାଇଁ ଏହା ଏକ ଗୌରବମୟ ଦିନ । ଜ୍ଞାନବ୍ୟାପୀ ମସଜିଦ ମାମଲା ସର୍ଭେ କେବଳ ସମାଧାନ ।” ଗତ ଜୁଲାଇ 14 ତାରିଖରେ ହିନ୍ଦୁ ପକ୍ଷରୁ ଓକିଲ ବିଷ୍ଣୁ ଶଙ୍କର ଜୈନ ସାଇଣ୍ଟିଫିକ ସର୍ଭେ ନେଇ ଜିଲ୍ଲା କୋର୍ଟରେ ଅବେଦନ କରିଥିଲେ । ଏହି ସ୍ଥାନଟି କୋଟି କୋଟି ଲୋକଙ୍କ ଭାବାବେଗ ସହ ଜଡିତ । ମସଜିଦର ପଶ୍ଚିମ କମ୍ପ୍ଲେକ୍ସ ମନ୍ଦିରର କିଛି ଅଂଶ ରହିଥିବା ଆବେଦନରେ ଦର୍ଶାଯାଇଥିଲା ।

ସୂଚନାଯୋଗ୍ୟ ଯେ, 1991ରେ ସମ୍ପୂର୍ଣ୍ଣ ଜ୍ଞାନବ୍ୟାପୀ ମସଜିଦକୁ କାଶୀ ମନ୍ଦିର ସହ ମିଶାଇବାକୁ ବାରଣାସୀ କୋର୍ଟରେ ପିଟିସନ ଦାଖଲ ହୋଇଥିଲା । ଜ୍ଞାନବାପୀ ମସଜିଦ ବାହ୍ୟ ପ୍ରାଚୀରରେ ଥିବା ହିନ୍ଦୁ ଦେବଦେବୀଙ୍କ ମୂର୍ତ୍ତିଗୁଡିକୁ ପ୍ରତ୍ୟହ ପୂଜାର୍ଚ୍ଚନା କରିବାକୁ ଅନୁମତି ପାଇଁ ଦିଲ୍ଲୀର ଏକ ମହିଳା ଗୋଷ୍ଠୀ 2011 ଏପ୍ରିଲ 18ରେ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ । ସିଭିଲ ଜଜ ସିନିୟର ଡିଭିଜନ ବିଚାରପତି ରବି କୁମାର ଦିବାକର କାଶୀ ବିଶ୍ବନାଥ ଜ୍ଞାନବାପୀ ମସଜିଦ କମ୍ପ୍ଲେକ୍ସରେ ସର୍ବେକ୍ଷଣ ପାଇଁ ଭାରତର ପ୍ରତ୍ନତତ୍ତ୍ବ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ସର୍ଭେର ଭିଡିଓଗ୍ରାଫି କରି ରିପୋର୍ଟ ଦାଖଲ ପାଇଁ କହିଥିଲେ । ସର୍ଭେ ଟିମକୁ ମୁସଲମାନ ସମ୍ପ୍ରଦାୟ ବିରୋଧ କରିଥିଲେ ।

Related Posts