ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଚଳିତ ଏସିଆ କପରେ ଆସନ୍ତା ରବିବାର ପୁଣି ଭାରତ-ପାକିସ୍ତାନ ମଧ୍ୟରେ ମୁକାବିଲା ହେବ । ସୁପର ୪ରେ ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପୁଣି ସାମ୍ନାସାମ୍ନି ହେବେ। ଲିଗ୍ ପର୍ଯ୍ୟାୟରେ ପାକିସ୍ତାନ ବିପକ୍ଷରେ ମ୍ୟାଚରେ ବିଜୟୀ ହୋଇଥିଲା ଭାରତ। ତେବେ ଗତକାଲି ଏସିଆ କପର ଲିଗ୍ ମ୍ୟାଚ୍ରେ ହଂକଂକୁ ହରାଇବା ପରେ ସୁପର ୪ରେ ପହଞ୍ଚିଛି ପାକିସ୍ତାନ। ତେଣୁ ଏହି ଦୁଇ ଦେଶର ଟିମ୍ ପୁଣି ସାମ୍ନାସାମ୍ନି ହେବା ପକ୍କା ହୋଇଛି। ହଂକଂକୁ ୧୫୫ ରନରେ ହରାଇ ସୁପର ୪ରେ ପାକିସ୍ତାନ ପହଞ୍ଚିଛି। ପାକିସ୍ତାନର ୧୯୩/୨ ରନ୍ ଜବାବରେ ହଂକଂ ୩୮ରେ ଅଲଆଉଟ୍ ହୋଇଯାଇଛି। ପାକିସ୍ତାନର ଚମତ୍କାର ବ୍ୟାଟିଂ ସାଙ୍ଗକୁ ବୋଲିଂ ପ୍ରତିପକ୍ଷକୁ ଚିତ୍ କରିଦେଇଥିଲା।
ଗୋଟିଏ ପଟେ ଲିଗ୍ ପର୍ଯ୍ୟାୟର ଦୁଇଟି ଯାକ ମ୍ୟାଚ୍ ଜିତି ଭାରତ ଆତ୍ମବିଶ୍ବାସର ସହିତ ପଡିଆକୁ ଓହ୍ଲାଇବ। ଅନ୍ୟ ପଟେ ହଂକଂକୁ ବଡ଼ ବ୍ୟବଧାନରେ ହରାଇ ପାକିସ୍ତାନ ମଧ୍ୟ ଜବରଦସ୍ତ ଜୋସ୍ ସହ ଖେଳିବ। ଏମିତିରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମ୍ୟାଚ୍ ଦେଖିବାକୁ ଉଭୟ ଦେଶର କ୍ରିକେଟ ଫ୍ୟନ୍ ମାନେ ଅପେକ୍ଷା କରି ରଖିଥାନ୍ତି। ତେଣୁ ଭାରତ-ପାକିସ୍ତାନ ଭିତରେ ସୁପର ୪ ମ୍ୟାଚ୍ ଖୁବ୍ ରୋମାଞ୍ଚପୂର୍ଣ୍ଣ ହେବ ବୋଲି ଆଶା ରହିଛି।





