ଭୁବନେଶ୍ୱର,୩୦/୧(ସତ୍ୟପାଠ ବ୍ୟୁରୋ): ଗୋରଖପୁରର ଗୋରଖନାଥ ମନ୍ଦିରରେ ପୁଲିସକର୍ମୀଙ୍କ ଉପରେ ଆକ୍ରମଣ କରିଥିବା ମୁର୍ତାଜା ଆବ୍ବାସିକୁ ମିଳିଲା ଫାଶୀଦଣ୍ଡ। ଆଜି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) କୋର୍ଟ ଏହି ଦଣ୍ଡ ଘୋଷଣା କରିଛନ୍ତି। କୋର୍ଟ ମୁର୍ତାଜାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଗିରଫ ପରେ ମୁର୍ତାଜା ବିରୋଧରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଅଧୀନରେ ମାମଲା ରୁଜୁ ହେବା ସହ ତାକୁ ଆତଙ୍କବାଦୀ ଭାବରେ ପରିଗଣିତ କରାଯାଇଥିଲା।
ସୂଚନାଯୋଗ୍ୟ ଯେ, ଦୋଷୀ ଅହମଦ୍ ମୁର୍ତାଜା ଆବ୍ବାସି ଗତ ଏପ୍ରିଲ୍ ୩, ୨୦୨୨ରେ ବଳପୂର୍ବକ ଗୋରଖନାଥ ମନ୍ଦିର ପରିସରକୁ ପ୍ରବେଶ କରି ତୀକ୍ଷ୍ଣ ଅସ୍ତ୍ରଦ୍ବାରା କର୍ତ୍ତବ୍ୟରତ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ରାଇଫଲ୍ ଛଡ଼ାଇ ନେବାକୁ ଉଦ୍ୟମ କରିଥିଲା। ରାଇଫଲ୍ ଛଡ଼ାଇ ନେଇ ବଡ଼ ଧରଣର ଆକ୍ରମଣ କରିବା ଲାଗି ଅଭିଯୁକ୍ତର ଉଦ୍ଦେଶ୍ୟ ଥିଲା ବୋଲି ତଦନ୍ତରୁ ଜଣାପଡ଼ିଥିଲା। ଦୋଷୀ ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ‘ଇସ୍ଲାମିକ୍ ଷ୍ଟେଟ୍ ଅଫ୍ ଇରାକ୍ ଆଣ୍ଡ୍ ସିରିଆ’ର (ଆଇଏସ୍ଆଇଏସ୍) ଆତଙ୍କବାଦୀ ଓ ସହଯୋଗୀମାନଙ୍କ ସହିତ ସମ୍ପର୍କ ରଖିଥିବା କଥା ଉତ୍ତରପ୍ରଦେଶ ପୁଲିସର ଅତିରିକ୍ତ ପୁଲିସ ମହାନିର୍ଦେଶକ (ଆଇନଶୃଙ୍ଖଳା) ପ୍ରଶାନ୍ତ କୁମାର କହିଥିଲେ। ଆତଙ୍କବାଦୀଙ୍କ ସହ ସମ୍ପର୍କ ଥିବା କଥା ସାମ୍ନାକୁ ଆସିବା ପରେ ମୁର୍ତାଜା ବିରୋଧରେ ୟୁଏପିଏ ଅଧୀନରେ ମାମଲା ରୁଜୁ କରାଯାଇଥିଲା।





