ଭୁବନେଶ୍ୱର,୨୩/୪(ସତ୍ୟପାଠ ବ୍ୟୁରୋ): ଢେଙ୍କାନାଳର ପୂର୍ବତନ ସାଂସଦ ତଥାଗତ ଶତପଥୀ ପୁଣି ବିଜେଡି ଟିକେଟରେ ନିର୍ବାଚନ ଲଢ଼ିବେ କି ? ଆଜି ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଶଙ୍ଖ ଭବନର ଉଦଘାଟନୀ ଉତ୍ସବରେ ତଥାଗତଙ୍କ ଉପସ୍ଥିତି ଏହି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ।
ତେବେ ଚାରି ଚାରି ଥରର ଢେଙ୍କାନାଳ ସାଂସଦ ଥିବା ତଥାଗତ ୨୦୧୯ ସାଧାରଣ ନିର୍ବାଚନ ଆଗରୁ ରାଜନୀତିରୁ ଦୂରେଇ ଯାଇଥିଲେ । ସେବେଠୁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ସେ ସାମିଲ୍ ହେଉ ନଥିଲେ । ଆଜି ବିଜେଡିର ରାଜ୍ୟ କାର୍ଯ୍ୟାଳୟ ଉଦଘାଟନୀ ଅବସରରେ ସେ ଯୋଗ ଦେବାପରେ ପୁଣି ସେ ନିର୍ବାଚନୀ ମଇଦାନକୁ ଓହ୍ଲାଇବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ଏନେଇ ତଥାଗତ ପ୍ରତିକ୍ରିୟା ଦେଇ କହିଛନ୍ତି, ସେ ନିର୍ବାଚନ ରାଜନୀତିରେ ପୁନଃ ପ୍ରବେଶ କରିବାକୁ ଅମଙ୍ଗ । ଶଙ୍ଖ ଭବନର ଉଦଘାଟନୀ ଉତ୍ସବକୁ ଦଳର ସଭାପତି ନବୀନ ପଟ୍ଟନାୟକ ଡାକିଥିଲେ ସେ ଆସଛନ୍ତି । ସେ ଆହୁରି କହିଛନ୍ତି, ମୁଁ ଏବେ ନିର୍ଦ୍ଦଳୀୟ । ବିଜେଡିରେ ନାହିଁ, ଏଠାକୁ ଜଣେ ସାମ୍ବାଦିକ ହିସାବରେ ଆସିଛି । ମୋତେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିମନ୍ତ୍ରଣ କରିଥିଲେ, ନିମନ୍ତ୍ରଣ ରକ୍ଷା କରି ଆସିଛି । ନିର୍ବାଚନ ରାଜନୀତିକୁ ଫେରିବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି। ସେପଟେ କିନ୍ତୁ ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ସୁପ୍ରିମୋ ଆପଣଙ୍କୁ ଡାକିଲେ ନିର୍ବାଚନ ଲଢ଼ିବାକୁ ଆସିବେ କି ? ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଚୁପ୍ ରହିଛନ୍ତି ତଥାଗତ ଶତପଥୀ ।





