ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ୧୬୫୯ରେ ଛତ୍ରପତି ଶିବାଜୀ ଯେଉଁ ‘ବାଘନଖ’ ନାମକ ଅସ୍ତ୍ରରେ ବିଜାପୁର ସୁଲ୍ତାନ୍ଙ୍କ ସେନାପତି ଅଫ୍ଜଲ୍ ଖାଁଙ୍କୁ ହତ୍ୟା କରିଥିଲେ ତାହା ଭାରତକୁ ଫେରାଇ ଦେବା ପାଇଁ ଇଂଲଣ୍ଡ୍ ରାଜି ହୋଇଥିବା କଥା କେନ୍ଦ୍ର ସଂସ୍କୃତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସୁଧୀର ମୁଙ୍ଗାନ୍ତିୱାର୍ କହିଛନ୍ତି। ସମ୍ପ୍ରତି ଲଣ୍ଡନ୍ସ୍ଥିତ ‘ଭିକ୍ଟୋରିଆ ଆଣ୍ଡ୍ ଆଲ୍ବର୍ଟ ମ୍ୟୁଜିୟମ୍’ରେ ଏହି ଐତିହାସିକ ଯୁଦ୍ଧାସ୍ତ୍ରଟି ପ୍ରଦର୍ଶନ ହେଉଛି। ତାହାକୁ ଫେରସ୍ତ ଅଣାଯିବା ନିମନ୍ତେ ଔପଚାରିକ ବୁଝାମଣା ପତ୍ରରେ ସ୍ବାକ୍ଷର କରିବା ଲାଗି କେନ୍ଦ୍ର ସଂସ୍କୃତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସୁଧୀର ମୁଙ୍ଗାନ୍ତିୱାର୍ ଚଳିତ ମାସରେ ଇଂଲଣ୍ଡ୍ ଗସ୍ତ କରିବେ।
ମୁଙ୍ଗାନ୍ତିୱାର୍ କହିଛନ୍ତି ଯେ, ଯଦି ସବୁ କଥା ଯୋଜନା ମୁତାବକ ଚାଲେ ତେବେ ପ୍ରସିଦ୍ଧ ‘ବାଘନଖ’ ଚଳିତ ବର୍ଷ ସ୍ବଦେଶ ଫେରିବ। ଛତ୍ରପତି ଶିବାଜୀ ମହାରାଜଙ୍କ ‘ବାଘନଖ’ ଫେରାଇବାକୁ ରାଜି ଦର୍ଶାଇ ଇଂଲଣ୍ଡ୍ର ସରକାରୀ କର୍ତ୍ତୃପକ୍ଷମାନ ପଠାଇଥିବା ଖଣ୍ଡେ ଚିଠି ଆମେ ପାଇଛୁ। ହିନ୍ଦୁ ପଞ୍ଜିକା ଅନୁସାରେ, ଯେଉଁ ଦିନ ଶିବାଜୀ ଅଫ୍ଜଲ୍ ଖାଁଙ୍କୁ ହତ୍ୟା କରିଥିଲେ ତା’ର ବାର୍ଷିକୀରେ ଆମେ ଉକ୍ତ ‘ବାଘନଖ’ଟିକୁ ଫେରସ୍ତ ପାଇପାରୁ। ଅବଶ୍ୟ ଏଥିପାଇଁ ଅନ୍ୟ କୌଣସି ଦିନ ଧାର୍ଯ୍ୟ କରିବା ପାଇଁ ମଧ୍ୟ ବିବେଚନା ଚାଲିଛି। ଏବଂ କିଭଳି ତାହାକୁ ଅଣାଯିବ ତା’ର ମଧ୍ୟ ଯୋଜନା କରାଯାଉଛି। ‘ଗ୍ରେଗୋରିଆନ୍ କ୍ୟାଲେଣ୍ଡର୍’ ଅନୁସାରେ ନଭେମ୍ବର ୧୦ ତାରିଖ ଦିନ ଅଫ୍ଜଲ୍ ଖାଁଙ୍କୁ ହତ୍ୟା କରାଯାଇଥିଲା। କିନ୍ତୁ, ଆମେ ତିଥି ପଞ୍ଜିକା ଗଣନା କରି ଉକ୍ତ ଦିନ ଧାର୍ଯ୍ୟ କରିବୁ।





