ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବାହାନଗା ଟ୍ରେନ ଟ୍ରାଜେଡିରେ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କ ରିମାଣ୍ଡ ଶେଷ ହୋଇଛି । ୫ ଦିନିଆ ରିମାଣ୍ଡ ସରିବା ପରେ ଭୁବନେଶ୍ବର କୋର୍ଟରେ ହାଜର ହୋଇଛନ୍ତି ତିନି ଅଭିଯୁକ୍ତ । ଚନ୍ଦକା ଥାନାରେ ପଚରାଉଚରା ପରେ ସେମାନଙ୍କୁ କୋର୍ଟରେ ହାଜର କରାଯାଇଛି । ତିନି ଅଭିଯୁକ୍ତ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହନ୍ତ, ସେକ୍ସନ ଇଞ୍ଜିନିୟର ଅମିର ଖାନ, ଟେକ୍ନସିଆନ ପପୁ କୁମାରଙ୍କୁ ଆହୁରି ୪ ଦିନ ପାଇଁ ଦ୍ବିତୀୟ ପର୍ଯାୟ ରିମାଣ୍ଡରେ ନେବ ସିବିଆଇ । ୪ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଲେ ସ୍ପେଶାଲ କୋର୍ଟ । ଏପଟେ ଦୁଇ ଅଭିଯୁକ୍ତ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହନ୍ତ, ସେକ୍ସନ ଇଞ୍ଜିନିୟର ଅମିର ଖାନ ଜାମିନ ଆବେଦନ କରିଥିବା ସୂଚନା ରହିଛି ।
ବାହାନଗା ଟ୍ରେନ ଟ୍ରାଜେଡିର ତନାଘଟା କରୁଛି ସିବିଆଇ । ଏହି ଘଟଣାରେ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କ ରିମାଣ୍ଡ ଶେଷ ହେବା ପରେ ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ମେଣ୍ଢାଶାଳ ହସ୍ପିଟାଲକୁ ନିଆଯାଇଥିଲା । ସ୍ବାସ୍ଥ୍ୟ ପରୀକ୍ଷା ପରେ ପୁଣି ସେମାନଙ୍କୁ ଚନ୍ଦକା ଥାନାକୁ ନିଆଯାଇଥିଲା । ଏହାପରେ ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା। ସେପଟେ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହନ୍ତ ଓ ସେକ୍ସନ ଇଞ୍ଜିନିୟର ଅମିର ଖାନ ବେଲ ପାଇଁ ଆବେଦନ କରିଛନ୍ତି । ପୂର୍ବରୁ ଅଭିଯୁକ୍ତଙ୍କୁ ଜେରା ପାଇଁ ସିବିଆଇ ୭ ଦିନିଆ ରିମାଣ୍ଡ ମାଗିଥିବା ବେଳେ କୋର୍ଟ ୫ ଦିନର ରିମାଣ୍ଡ ଅନୁମତି ଦେଇଥିଲେ । ଯାହା ଆଜି ଶେଷ ହୋଇଛି ।
ଏହି ଘଟଣାର ତଦନ୍ତ ପ୍ରକ୍ରିୟା ଚାଲୁ ରହିଥିବା ବେଳେ ଦୁର୍ଘଟଣାର କାରଣ ଖୋଜିବା ପାଇଁ ସିବିଆଇ ଟିମ 5 ଜଣଙ୍କୁ ତଦନ୍ତ ପରିସରକୁ ନେଇ ପଚରାଉଚରା କରିଥିଲା । 5 ଜଣ ମଧ୍ୟରୁ 2ଜଣଙ୍କୁ ଛାଡି ଦେଇଥିବା ବେଳେ ଷ୍ଟେସନ ମାଷ୍ଟର, ଟେକ୍ନିସିଆନ ଓ ସିଗ୍ନାଲ କର୍ମଚାରୀଙ୍କୁ ତଦନ୍ତ ପରିସରଭୁକ୍ତ କରିଥିଲା । ସିବିଆଇ ଟିମ 3 କର୍ମଚାରୀଙ୍କୁ ପଚରାଉଚରା କରିବା ସହ ଦୁର୍ଘଟଣା ଦିନ ଦାୟିତ୍ବରେ ଥିବା ସହକାରୀ ଷ୍ଟେସନ ମାଷ୍ଟରଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରିଥିଲା । ସେପଟେ ଦୁର୍ଘଟଣାର ମୁଖ୍ୟ କାରଣ ସିଗନାଲ ସିଷ୍ଟମରେ ଅତ୍ୟଧିକ ତ୍ରୁଟି ବୋଲି ସିଆରଏସ ରିପୋର୍ଟରେ ଦର୍ଶାଯାଇଥିଲା । ହେଲେ ଏହି ରିପୋର୍ଟରେ ତଥ୍ୟ ଲୁଚାଯାଉଥିବା ବିରୋଧୀ ଅଭିଯୋଗ କରିଥିଲେ । ଘଟଣାକୁ ମାସେରୁ ଅଧିକ ସମୟ ବିତିଥିବା ବେଳେ ଅନେକ ଯାତ୍ରୀ ଏବେ ବି ଭୁବନେଶ୍ବରରେ ଚିକିତ୍ସିତ ହେଉଛନ୍ତି । ଭୁବନେଶ୍ବର ଏମ୍ସରେ ଏବେ ବି ଚିହ୍ନଟ ହୋଇପାରୁନଥିବା ମୃତଦେହ ପଡ଼ିରହିଛି ।





