ବାଲେଶ୍ବର ଟ୍ରେନ୍‌ ଦୁର୍ଘଟଣା: ଉଦ୍ଧାର ଅଭିଯାନ ଶେଷ, ମରାମତି କାର୍ଯ୍ୟ ଆରମ୍ଭ

ଭୁବନେଶ୍ୱର,୩/୬(ସତ୍ୟପାଠ ବ୍ୟୁରୋ): ବାଲେଶ୍ବର ଜିଲ୍ଲାର ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ମୃତାହତଙ୍କୁ ଉଦ୍ଧାର କରାଯିବା ଅଭିଯାନ ଶେଷ ହୋଇଛି ଏବଂ ଘଟଣାସ୍ଥଳରେ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଥିବା କଥା ରେଳବାଇ ମୁଖପାତ୍ର ଅମିତାଭ ଶର୍ମା କହିଛନ୍ତି।

ସେ କହିଛନ୍ତି ଯେ, ଏହି ରୁଟ୍‌ରେ ଦୁର୍ଘଟଣା ନିରୋଧୀ ‘କବଚ’ ଉପଲବ୍ଧ ନ ଥିଲା। ‘କବଚ’ ବ୍ୟବସ୍ଥା ଥିଲେ ଟ୍ରେନ୍‌ ଦୁଇଟି ପରସ୍ପର ସହିତ ଧକ୍କା ଖାଇ ନ ଥାଆନ୍ତେ।

ରେଳବାଇ ଦେଇଥିବା ସଦ୍ୟତମ ସୂଚନା ଅନୁସାରେ, ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୬୧ଜଣଙ୍କର ମୃତ୍ୟୁ ଘଟିଛି ବୋଲି ରିପୋର୍ଟ କରାଯାଇଛି। ଆହତ ଯାତ୍ରୀମାନଙ୍କୁ ଗୋପାଳପୁର, ଖନ୍ତାପଡ଼ା, ବାଲେଶ୍ବର, ଭଦ୍ରକ ଓ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଟ୍ରେନ୍‌ ଦୁର୍ଘଟଣା ପରର ସ୍ଥିତି ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ବାହାରି ଆସିଥିବା କଥା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି।

ରେଳବାଇ ‘ସିଗ୍‌ନାଲିଙ୍ଗ୍‌ କଣ୍ଟ୍ରୋଲ୍‌ ରୁମ୍‌’ କରିଥିବା ପ୍ରାରମ୍ଭିକ ରିପ‌ୋର୍ଟ ଅନୁସାରେ, ଦୁର୍ଘଟଣାର ସମ୍ମୁଖୀନ ହେବା ପୂର୍ବରୁ କରମଣ୍ଡଳ ଏକ୍ସପ୍ରେସ୍‌ ଭୁଲ୍‌ ଟ୍ରାକ୍‌ରେ ଆସୁଥିଲା। ବାହାନଗନା ବଜାର ଆଗରୁ ଏହା ମୁଖ୍ୟ ଲାଇନ୍‌ରେ ନ ଯାଇ ‘ଲୁପ୍‌’ ଲାଇନ୍‌ରେ ଯାଉଥିଲା ବୋଲି ନାମ ଗୋପନ ରଖି ଜଣେ ରେଳବାଇ ଅଧିକାରୀ କହିଛନ୍ତି।

Related Posts