ଭୁବନେଶ୍ୱର,୩/୬(ସତ୍ୟପାଠ ବ୍ୟୁରୋ): ବାଲେଶ୍ୱର ବାହାନଗା ଷ୍ଟେସନରେ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ପହଞ୍ଚି ଘଟଣାର ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଏହାସହ ସେଠାରେ ଥିବା ଆହତଙ୍କୁ ମଧ୍ୟ ଭେଟିଛନ୍ତି । ଦୁର୍ଘଟଣାସ୍ଥଳରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ପହଞ୍ଚିଛନ୍ତି। ରେଳମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଉଦ୍ଧାର କାର୍ଯ୍ୟ ଓ ଗୁରୁତର ତଥା ଆହତମାନଙ୍କର ଚିକିତ୍ସା ବ୍ୟବସ୍ଥା ନେଇ ସେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରୁଛନ୍ତି।ସେଠାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଆଉ କିଛି ସମୟରେ ପହଞ୍ଚି ସ୍ଥିତି ସମୀକ୍ଷା କରିବାର ସୂଚନା ରହିଛି ।
ବର୍ତ୍ତମାନ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ସହ ଆହତଙ୍କୁ ତୁରନ୍ତ ଚିକିତ୍ସା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଉଛି ।
ଏହି ଅବସରରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଏହା ବଡ଼ ରେଳ ଦୁର୍ଘଟଣା। ରେଳବାଇ, ଏନଡିଆରଏଫ, ଏସଡିଆରଏଫ ଏବଂ ରାଜ୍ୟ ସରକାର ଉଦ୍ଧାର କାର୍ଯ୍ୟ କରୁଛନ୍ତି। ସର୍ବୋତ୍ତମ ସମ୍ଭାବ୍ୟ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ। ଗତକାଲି କ୍ଷତିପୂରଣ ଘୋଷଣା କରାଯାଇଥିଲା। ଏହା ବିଷୟରେ ତଦନ୍ତ ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଛି ବୋଲି ସେ କହିଛନ୍ତି।





