ବାଲେଶ୍ଵର ଟ୍ରେନ ଟ୍ରାଜେଡି: ଆସନ୍ତାକାଲି ଘଟଣା ସ୍ଥଳକୁ ଯିବେ ମୁଖ୍ୟମନ୍ତ୍ରୀ; ରାଜସ୍ବ ମନ୍ତ୍ରୀ ଓ ଏସ୍‌ଆର୍‌ସିଙ୍କୁ ଦୁର୍ଘଟଣା ସ୍ଥଳରେ ତୁରନ୍ତ ପହଞ୍ଚିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨/୬(ସତ୍ୟପାଠ ବ୍ୟୁରୋ): ଓଡ଼ିଶାର ବାଲେଶ୍ବର ଜିଲ୍ଲା ବାହାନଗାରେ ଭୟଙ୍କର ଓ ହୃଦୟ ବିଦାରକ ଟ୍ରେନ ଦୁର୍ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି। ମୃତକ ଓ ଆହତଙ୍କ ସଂଖ୍ୟା ବଢିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୫୦ ଥିବା ସୂଚନା ଆସିଛି । ଆହୁରି ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସଆରସି କଣ୍ଟ୍ରୋଲ ରୁମରେ ପହଞ୍ଚି ଘଟଣାକୁ ନେଇ ଆଲୋଚନା କରିଛନ୍ତି ।ଏହାସହିତ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାସ୍ଥଳକୁ ଯିବା ସହ ସେଠାରେ ସ୍ଥିତି ପରଖିବା କଥା କହିଛନ୍ତି । ଦୁର୍ଘଟଣା ସ୍ଥଳରେ ତୁରନ୍ତ ପହଞ୍ଚିବାକୁ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏବଂ ଏସ୍‌ଆର୍‌ସି ସତ୍ୟବ୍ରତ ସାହୁଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।

ସେପଟେ କଣ୍ଟ୍ରୋଲ ରୁମ୍‌ ଜରୁରୀକାଳିନ ନମ୍ବର ୦୬୭୮୨୨୬୨୨୮୬ ଜାରି କରିଛନ୍ତି ଏସ୍‌ଆର୍‌ସି। ସହିପରି ବରିଷ୍ଠ ଅଧିକାରୀ ହେମନ୍ତ ଶର୍ମା, ବଲବନ୍ତ ସିଂହ, ଅରବିନ୍ଦ ଅଗ୍ରଓ୍ବାଲ ଓ ସୁଧାଂଶୁ ଷଡ଼ଙ୍ଗୀ ସ୍ବତନ୍ତ୍ର ତଦାରଖ ଦାୟିତ୍ବ ଦିଆଯାଇଛି।

ସେପଟେ ଏହି ଭୟଙ୍କର ଟ୍ରେନ ଦୁର୍ଘଟଣାରେ ଗୃହମନ୍ତ୍ରୀ ଅମିତ ଶାହ , ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ , କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଦି ବିଶିଷ୍ଟ ବ୍ୟକ୍ତିମାନେ ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Related Posts