୨୦୨୪ ମାର୍ଚ୍ଚ ସୁଦ୍ଧା ଆସିବ ବନ୍ଦେ ଭାରତ ସ୍ଲିପର୍: ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବନ୍ଦେ ଭାରତ ଏକ୍ସପ୍ରେସ ଭାରତରେ ରେଳ ଯାତ୍ରା କ୍ଷେତ୍ରରେ ଏକ ନୂଆ ଯୁଗର ଆରମ୍ଭ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଉଥିବା ବେଳେ ଏହାର ସ୍ଲିପର ଭର୍ସନ ଚଳାଇବାକୁ ଏବେ ଯୋଜନା ଚାଲିଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏନେଇ ଘୋଷଣା କରି କହିଛନ୍ତି ଯେ, ୨୦୨୪ ମାର୍ଚ୍ଚ ସୁଦ୍ଧା ଦେଶରେ ବନ୍ଦେ ଭାରତ ସ୍ଲିପର ଏକ୍ସପ୍ରେସ ଚାଲିବ । ଏହାକୁ ବନ୍ଦେ ସ୍ଲିପର କୁହାଯାଉଛି ।

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି କି ବନ୍ଦେ ଭାରତ ଟ୍ରେନର ପ୍ରଥମ ବ୍ୟାଚ୍ ସ୍ଲିପର ଭାରିଏଣ୍ଟ ମାର୍ଚ୍ଚ ୨୦୨୪ରେ ଆରମ୍ଭ ହେବ। ଚେନ୍ନାଇସ୍ଥିତ ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି (ଆଇସିଏଫ୍) ଡିସେମ୍ବର ଶେଷ ସୁଦ୍ଧା ବନ୍ଦେ ଭାରତର ସ୍ଲିପର ଭାରିଆଣ୍ଟର ଡିଜାଇନ୍ ପ୍ରସ୍ତୁତ କରିବ ଓ ମାର୍ଚ୍ଚ ୨୦୨୪ ସୁଦ୍ଧା ଏହା ଟ୍ରାକରେ ଗଡ଼ିବ ।

ତେବେ ଏହା ପୂର୍ବରୁ ମେ ମାସରେ କେନ୍ଦ୍ର ରେଳମନ୍ତ୍ରୀ ଗଣମାଧ୍ୟମକୁ କହିଥିଲେ ଯେ ବନ୍ଦେ ଭାରତର ତିନୋଟି ସଂସ୍କରଣ ଦେଶରେ ଚାଲିବ। ଏଥିରେ ୧୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା ପାଇଁ ବନ୍ଦେ ମେଟ୍ରୋ, ୧୦୦-୫୫୦ କିଲୋମିଟର ପର୍ଯ୍ୟନ୍ତ ବନ୍ଦେ ଚେୟାର କାର୍ ଏବଂ ୫୫୦ କିଲୋମିଟରରୁ ଅଧିକ ଯାତ୍ରା ଅର୍ଥାତ ଦୂରଗାମୀ ଯାତ୍ରା ପାଇଁ ବନ୍ଦେ ସ୍ଲିପର ଟ୍ରେନ୍ ଉଦ୍ଦିଷ୍ଟ ।

ସୂଚନାଯୋଗ୍ୟ ଯେ, ଦେଶରେ ୨୦୧୯ ଫେବୃୟାରୀ ୧୫ରେ ପ୍ରଥମ ଥର ପାଇଁ ନୂଆଦିଲ୍ଲୀ ଓ ବାରଣାସୀ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ଆରମ୍ଭ କରିଥିଲା । ଏବେ ଦେଶରେ ମୋଟ ୧୯ଟି ବନ୍ଦେ ଭାରତ ଚାଲୁଛି ।

Related Posts