ଟି-୨୦ ଅନ୍ତର୍ଜାତୀୟ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କଲେ ବାଂଲାଦେଶ ୱିକେଟ୍ କିପର ମୁଶିଫିକୁର ରହିମ

ଢାକା: ବାଂଲାଦେଶ ୱିକେଟ୍ କିପର ମୁଶିଫିକୁର ରହିମ ଏକ ବଡ଼ ଘୋଷଣା କରିଛନ୍ତି । ଟି-୨୦ ଅନ୍ତର୍ଜାତୀୟ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ରବିବାର ଟ୍ୱିଟ୍‌ କରି ଏନେଇ ସୂଚନା ଦେଇଛନ୍ତି। ତେବେ ଦିନିକିଆ ଓ ଟେଷ୍ଟରେ ଦେଶ ପାଇଁ ଖେଳ ଜାରି ରଖିବେ ବୋଲି କହିଛନ୍ତି ଏହି ୩୫ ବର୍ଷୀୟ କ୍ରିକେଟର ମୁଶିଫିକୁର ରହୀମ।

ସେ ଟ୍ୱିଟ୍ କରି ଲେଖିଛନ୍ତି ” ମୁଁ ଟି-୨୦ ଅନ୍ତର୍ଜାତୀୟ ଫର୍ମାଟ୍‌ରୁ ଅବସର ଘୋଷଣା କରୁଛି। ଏବେ ମୁଁ ଦିନିକିଆ ଓ ଟେଷ୍ଟ ଫର୍ମାଟ୍‌ରେ ଅଧିକ ଗୁରୁତ୍ୱ ଦେବାକୁ ଚାହୁଁଛି। ସୁଯୋଗ ମିଳିଲେ ଫ୍ରାଞ୍ଚାଇଜ୍‌ ମେଚ୍‌ ଖେଳିବି। ଅନ୍ୟ ଦୁଇଟି ଫର୍ମାଟ୍‌ରେ ଗର୍ବର ସହ ଦେଶ ପାଇଁ ଖେଳ ଜାରି ରଖିବି।”

ବାଂଲାଦେଶର ଭେଟେରାନ କ୍ରିକେଟର ଟିମ୍ ପାଇଁ ଅନେକ ମହତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିଛନ୍ତି। ତାଙ୍କ ସମୟରେ ସେ ସବୁ ବିଶ୍ୱ କପ୍‌ରେ ଖେଳିଛନ୍ତି। ବର୍ତ୍ତମାନ ଏସିଆପ୍‌ ଟି-୨୦ ଚାଲିଛି। ଆଉ ଆଜି(୪ ସେପ୍ଟେମ୍ବର) ଫାଇନାଲ୍‌ରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ। ତେବେ ଏହି ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଯାଇଛି ବାଂଲାଦେଶ। ଦୁଇଟି ଯାକ ମ୍ୟାଚ୍‌ ପରାସ୍ତ ହେବା ପରେ ଏସିଆପ୍ କପ୍‌ରୁ ବାହାରି ଯାଇଥିଲା ବାଂଲାଦେଶ। ତେବେ ଉଭୟ ମ୍ୟାଚ୍‌ରେ ମୁଶିଫିକ୍ୟୁର ରହିମ ମାତ୍ର ୫ ରନ୍ କରିପାରିଥିଲେ।

ସୂଚନା ଥାଉକି, ମୁଶିଫକୁର ରହିମ ବାଂଲାଦେଶ ପାଇଁ ୧୦୨ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଯେଉଁଥିରେ ୬ଟି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ତାଙ୍କର ସର୍ବାଧିକ ସ୍କୋର ୭୨* ରହିଛି। ୨୦୧୮ରେ ସେ ଏହି ରନ୍ କରିଥିଲେ। ଏହାପରଠାରୁ ଟି-୨୦ ଫର୍ମାଟ୍‌ରେ ଲଗାତର ତାଙ୍କ ଫର୍ମ ଖରାପ ରହିଥିଲା। ଏସିଆ କପ୍‌ରେ ସେ ମାତ୍ର ୫ ରନ୍ କରିପାରିଥିଲେ।

ତେବେ ମୁଶିଫିକୁରଙ୍କ ଇସ୍ତଫା ବାଂଲାଦେଶ ପାଇଁ ବଡ଼ ଝଟ୍‌କା ହେବ। କାରଣ ଏହା ପୂର୍ବରୁ ତମିମ୍ ଇକବାଲ ମଧ୍ୟ ଟି-୨୦ ଫର୍ମାଟ୍‌ରୁ ସନ୍ନ୍ୟାସ ଘୋଷଣା କରିସାରିଛନ୍ତି। ଆଗକୁ ବିଶ୍ୱକପ୍‌ ଥିବା ବେଳେ ଦୁଇ ଅଭିଜ୍ଞ ଖେଳାଳିଙ୍କ ଅନୁପସ୍ଥିତି ବାଂଲାଦେଶ ଅନୁଭବ କରିପାରେ।

Related Posts