ବନହରପାଲି ଆସପଣ୍ଡ ଭୁଶୁଡ଼ିବା ଘଟଣା; OPGC ବିରୋଧରେ ରୁଜୁ ହେଲା ମାମଲା

ଭୁବନେଶ୍ୱର,୧୦/୧(ସତ୍ୟପାଠ ବ୍ୟୁରୋ): ଝାରସୁଗୁଡା ବନହରପାଲିରେ OPGC ଆସପଣ୍ଡ ଭୁଶୁଡ଼ିବା ଘଟଣାରେ ରୁଜୁ ହେଲା ମାମଲା | ଏନେଇ କୋର୍ଟଙ୍କ ନିର୍ଦ୍ଦେଶ ପରେ ବନହରପାଲି ଥାନାରେ ଓପିଜିସିର ପରିଚାଳନା ନିର୍ଦ୍ଦେଶକ ମାନସ ରଞ୍ଜନ ରାଉତ ନାଁରେ ସଙ୍ଗୀନ ଦଫାରେ ମାମଲା ରୁଜୁ ହୋଇଛି | ଗତ ଡିସେମ୍ବର ୯ ତାରିଖରେ ଝାରସୁଗୁଡ଼ା ଜିଲ୍ଲା ବନହରପାଲି ସ୍ଥିତ ଓଡିଶା ବିଦ୍ୟୁତ ଉତ୍ପାଦନ ନିଗମ ବା ଓପିଜିସିର ଇବ ଥର୍ମାଲ ବନହରପାଲି ତାପଜ ବିଦ୍ୟୁତ କେନ୍ଦ୍ରର ୩ ନମ୍ବର ଆସପଣ୍ଡର ହିଡ ଭାଙ୍ଗି ଯାଇଥିଲା | ଆଉ ଶତାଧିକ ଚାଷ ଜମିକୁ ମାଡ଼ିଯାଇଥିଲା ପାଉଁଶ ପାଣି | ଏନେଇ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ସେତେବେଳେ ପୁଲିସ କୌଣସି ମାମଲା ରୁଜୁ କରିନଥିଲା | ଏନେଇ ଆଞ୍ଚଳିକ ପରିବେଶ ସୁରକ୍ଷା ସଂଘର ସତ୍ୟ ନାରାୟଣ ରାଓ \ ଝାରସୁଗୁଡା SDJM କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ | ଏହାର ବିଚାର କରି ଆସନ୍ତା 24 ତାରିଖ ସୁଦ୍ଧା ମାମଲା ରୁଜୁ କରି କୋର୍ଟଙ୍କ ନିକଟରେ ଉତ୍ତର ରଖିବାକୁ ବନହରପାଲି IICଙ୍କୁ ନିର୍ଦେଶ ଦିଆଯାଇଥିଲା | ଆଉ କୋର୍ଟଙ୍କ ନିର୍ଦେଶ ପରେ ଏବେ ପୁଲିସ ମାମଲା ରୁଜୁ କରିଛି |

ସେପଟେ ଶହ ଶହ ଏକର ଚାଷ ଜମିରେ ପାଉଁଶ ପାଣି ମାଡ଼ିଯିବା ଯୋଗୁଁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି | ଏଥିସହିତ ଏହି ବିଷାକ୍ତ ପାଣି ହୀରାକୁଦ ଜଳଭଣ୍ଡାରକୁ ମଧ୍ୟ ଦୂଷିତ କରିଛି | ଯାହାଦ୍ୱାରା ଜଳଭଣ୍ଡାରର ଜୈବବିବିଧତା ନଷ୍ଟ ହୋଇଥିବା ଅଭିଯୋଗ ହୋଇଥିଲେ ମଧ୍ୟ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ କିମ୍ବା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ OPGC ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ | ଏଭଳି ସ୍ଥିତିରେ କେବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କତ୍ତୃପକ୍ଷଙ୍କ ନିଦ ଭାଙ୍ଗୁଛି ତାହା ଦେଖିବାକୁ ବାକି ରହିଲା |

Related Posts