ଭୁବନେଶ୍ୱର,୨୪/୪(ସତ୍ୟପାଠ ବ୍ୟୁରୋ): ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ଦେବାକୁ ବିରୋଧ କରିଛି ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ । ଏନେଇ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ଏକ ସଂକଳ୍ପ ପାରିତ କରିଛି ।ରବିବାର ବାର୍ କାଉନସିଲ୍ ଅଫ୍ ଇଣ୍ଡିଆରେ ଏହି ଗୁରୁତ୍ବପୂର୍ଣ୍ଣ ସଂକଳ୍ପ ଗୃହୀତ ହୋଇଛି। ଉକ୍ତ ସଂକଳ୍ପନାମାରେ ସମଲିଙ୍ଗୀ ବିବାହ ସଂକ୍ରାନ୍ତ ନିଷ୍ପତ୍ତି ବ୍ୟବସ୍ଥାପିକା ଉପରେ ଛାଡ଼ି ଦେବା ପାଇଁ ବାର୍ କାଉନସିଲ ପକ୍ଷରୁ ସୁପ୍ରିମକୋର୍ଟକୁ ଅନୁରୋଧ କରାଯିବ। ଷ୍ଟେଟ ବାର୍ କାଉନସିଲଗୁଡ଼ିକ ସହ ବୈଠକ କରି ବାର୍ କାଉନସିଲ ଅଫ୍ ଇଣ୍ଡିଆ ଏଭଳି ନିଷ୍ପତ୍ତି ନେଇଛି।
ସଂକଳ୍ପରେ ଗୁରୁତ୍ବ ଦିଆଯାଇଛି ଯେ ବିଶ୍ବରେ ଭାରତ ଏକ ବିବିଧତା ପରିପୂର୍ଣ୍ଣ ଦେଶ। ଭିନ୍ନ ଭିନ୍ନ ବିଶ୍ବାସର ଲୋକ ଭାରତରେ ବାସ କରୁଛନ୍ତି। ତେଣୁ ମୌଳିକ ସାମାଜିକ ଢାଞ୍ଚାକୁ ବ୍ୟାହତ କରିବା ଭଳି ସମ୍ଭାବନା ଥିବା ଯେକୌଣସି ପ୍ରସଙ୍ଗ କେବଳ ବ୍ୟବସ୍ଥାପିକା ପ୍ରକ୍ରିୟା ଜରିଆରେ କାର୍ଯ୍ୟକାରୀ ହେବା ଆବଶ୍ୟକ। ସୁପ୍ରିମ କୋର୍ଟଙ୍କ ଏ ସଂପର୍କିତ ଯେ କୌଣସି ନିଷ୍ପତ୍ତି ଦେଶର ଭବିଷ୍ୟତ ପିଢ଼ି ପାଇଁ କ୍ଷତିକାରକ ହୋଇପାରେ। ସମଲିଙ୍ଗୀ ବିବାହ ପ୍ରସଙ୍ଗ ଅତ୍ୟନ୍ତ ସମ୍ବେଦନଶୀଳ। ଏବଂ ଅଳ୍ପ କିଛି ଲୋକଙ୍କ ଦ୍ବାରା ଏହା ଏକ ପ୍ରକାର ସାମାଜିକ ପରୀକ୍ଷଣ ବୋଲି ବାର କାଉନସିଲ ମତ ଦେବା ସହ ଦେଶର ୯୯.୯ ପ୍ରତିଶତ ଲୋକ ଏହା ବିରୋଧରେ ଅଛନ୍ତି ବୋଲି କହିଛି।
ସଂକଳ୍ପନାମାରେ ଏହା ମଧ୍ୟ କୁହାଯାଇଛି ଯେ, ମାନବ ସଭ୍ୟତା ଓ ସଂସ୍କୃତିର ଆରମ୍ଭ ହେବା ଦିନଠାରୁ ବିବାହକୁ ସାଧାରଣତଃ ଜଣେ ଜୈବିକ ପୁରୁଷ ଏବଂ ଜୈବିକ ମହିଳାର ମିଶ୍ରଣ ଭାବେ ଗ୍ରହଣ କରାଯାଇ ଆସିଛି। ସନ୍ତାନ ଜନ୍ମ ଏବଂ ଆମୋଦ ହେଉଛି ବିବାହର ଦୁଇଗୋଟି ଉଦ୍ଦେଶ୍ୟ। ଅଦାଲତଙ୍କ ଉଦ୍ଦେଶ୍ୟ ଯେତେ ମହାନ ହୋଇ ଥାଉ ନା କାହିଁକି ଏଭଳି ପୃଷ୍ଠଭୂମିରେ ଅଦାଲତ ଦ୍ବାରା ବିବାହର ମୌଳିକ ଧାରଣାକୁ ପରିବର୍ତ୍ତନ କରିବା ଭୟଙ୍କର ହେବ ବୋଲି ସଂକଳ୍ପନାମାରେ କୁହାଯାଇଛି।





