ସଂପୂର୍ଣ୍ଣ ଭଙ୍ଗାଯିବ ବାରବାଟୀ ଷ୍ଟାଡିୟମ; ତିଆରି ହେବ ନୂଆ ଷ୍ଟାଡିୟମ, ୬୦ ହଜାରକୁ ବଢିବ ଦର୍ଶକ କ୍ଷମତା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସଂପୂର୍ଣ୍ଣ ରୂପେ ଭଙ୍ଗାଯିବ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ। ବର୍ତ୍ତମାନ ଯେଉଁ ଷ୍ଟାଡିୟମ ରହିଛି, ତାକୁ ପୁରାପୁରି ଭଙ୍ଗା ଯାଇ ତିଆରି ହେବ ସଂପୂର୍ଣ୍ଣ ନୂଆ ଷ୍ଟାଡିୟମ। ଏନେଇ ସୂଚନା ଦେଇଛନ୍ତି ଓସିଏ ସଂପାଦକ ସଂଜୟ ବେହେରା।

ଓସିଏ ସଂପାଦକ ସଂଜୟ ବେହେରା କହିଛନ୍ତି, ଯେଉଁ ଜମି ସମସ୍ୟା ଅଛି, ଡିଜାଇନରେ ତ୍ରୁଟି ଅଛି, ତାକୁ ସୁଧୁରା ଯାଇ ନିର୍ମିତ ହେବ ନୂଆ ବିରାଟ ସ୍ପୋର୍ଟସ୍ କଂପ୍ଲେକ୍ସ। ଏଥିରେ ଅତ୍ୟାଧୁନିକ ସୁବିଧା ମଧ୍ୟ ରହିବ। ୧୯୫୨ରେ ବାରବାଟୀର ତଳ ଅଂଶ ନିର୍ମିତ ହୋଇଥିଲା। ଏହା ବି ପୁରୁଣା ହେଲାଣି। ଆଗାମୀ ୫୦ବର୍ଷକୁ ଆଖି ଆଗରେ ରଖି ନୂଆ ଷ୍ଟାଡିୟମ ନିର୍ମାଣ କରାଯିବ। ଏବେର ଷ୍ଟାଡିୟମକୁ ନ ଭାଙ୍ଗିଲେ ତାହା ସମ୍ଭବ ହେବନି। ବାରବାଟୀ ଷ୍ଟାଡିୟମର ଦର୍ଶକ କ୍ଷମତା ୪୪ ହଜାରରୁ ୬୦ ହଜାରକୁ ବୃଦ୍ଧି କରାଯିବ ଏବଂ ଏଥିରେ ବକେଟ ସିଟ୍ ରହିବ। ୩ ବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରାଯିବ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବିସିସିଆଇ, ଓସିଏ ଏବଂ ଓଡ଼ିଶା ସରକାର ମିଳିତ ଭାବେ ଏହି କାମ କରିବେ। ଯୋଜନା ପ୍ରସ୍ତୁତ କରିବାକୁ ଡେଲଏଟ୍ କମ୍ପାନିକୁ ଦାୟିତ୍ୱ ଦିଆଯାଇଛି। ୨ ମାସ ଭିତରେ ରିପୋର୍ଟ ଆସିବ।

ପୁନଃ ନିର୍ମାଣ ପାଇଁ ମୋଟ ୬୦୦ କୋଟି ଟଙ୍କାର ଅଟକଳ ରଖାଯାଇଛି। ଏହି ପ୍ରୋଜେକ୍ଟ ରିପୋର୍ଟ ମଧ୍ୟ ଏକ ପ୍ରକାର ଚୂଡାନ୍ତ ପର୍ଯ୍ୟାୟରେ ରହିଛି। ବାରବାଟୀ ଷ୍ଟାଡିୟମର ନବକଳେବର ଦ୍ୱାରା କ୍ରୀଡାବିତଙ୍କୁ ନାନାଦି ସୁବିଧା ସୁଯୋଗ ମିଳିବ । ଗୋଟିଏ ସ୍ଥାନରେ କ୍ରୀଡାବିତ ରହିବା ସହ ଖେଳିପାରିବେ। ସେହିଭଳି ଷ୍ଟାଡିୟମର ନବକଳେବର ପରେ ଅଧିକରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍ ମଧ୍ୟ ବାରବାଟୀକୁ ଫେରିବ ବୋଲି ସଂଜୟ କହିଛନ୍ତି।

Related Posts